ଶିବୁ ସୋରେନଙ୍କ ଓଡିଶା ସମ୍ପର୍କ କଣ ଜାଣନ୍ତି କି?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କର ସୋମବାର ୮୧ ବର୍ଷ ବୟସରେ ଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲରେ ପରଲୋକ ଘଟିଥିଲା । ଶିବୁଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସାମାଜିକ ଗଣମାଧ୍ୟମ ଏକ୍ସରେ ପିତାଙ୍କ ମୃତ୍ୟୁ ବିଷୟ ପୋଷ୍ଟ୍‌ କରି ‘ଦିଶୋମ ଗୁରୁ’ (ଦେଶର ମାର୍ଗଦର୍ଶକ) ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ବୋଲି ଲେଖିଥିଲେ |

ତେବେ ଆପଣ ଜାଣନ୍ତି କି ଓଡିଶା ସହ ଶିବୁଙ୍କର ଥିଲା ଖାସ ସମ୍ପର୍କ | ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମାଧ୍ୟମରେ ରାଜନୀତି ବିସ୍ତାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଏହା ବାଦ ଓଡିଶା ସହ ସମ୍ପର୍କ ବି ଯୋଡ଼ିଥିଲେ ଶିବୁ | ବାସ୍ତବରେ ଶିବୁଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିବାହ ପାଇଁ ଓଡିଶାରୁ ହିଁ କନ୍ୟା ଖୋଜିଥିଲେ ଶିବୁ |

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହେମନ୍ତ ସୋରେନଙ୍କ ପତ୍ନୀ ତଥା ଶିବୁ ସୋରେନଙ୍କ ବୋହୂ କଳ୍ପନା ସୋରେନ ଓଡ଼ିଶାର ମୟୂରଭଞ୍ଜର ଏକ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ତାଙ୍କ ମା’ ଜଣେ ଗୃହିଣୀ। ୭ ଫେବ୍ରୁଆରି ୨୦୦୬ରେ ସେ ହେମନ୍ତଙ୍କୁ ବିବାହ କରିଥିଲେ । ଏବେ ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ଏହା ସହିତ ସେ ସମାଜସେବା କାମରେ ନିୟୋଜିତ ଅଛନ୍ତି । କଳ୍ପନା ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନରୁ ଇଞ୍ଜିନିୟରିଂ ଓ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। କୁହାଯାଏ ଯେ କଳ୍ପନାଙ୍କୁ ବୋହୂ କରିବାରେ ଶିବୁଙ୍କର ବଡ ଭୂମିକା ଥିଲା | ଓଡ଼ିଶାର ଝିଅଙ୍କୁ ବୋହୂ କରିବା ପାଇଁ ଶିବୁ ବହୁତ ଆଗ୍ରହୀ ଥିଲେ ଆଉ ଏହି କ୍ରମରେ ସେ ଓଡ଼ିଶାରେ ହିଁ ବନ୍ଧୁ ବାନ୍ଧିଥିଲେ |

Leave a Reply

Your email address will not be published. Required fields are marked *