ନବରଙ୍ଗପୁରରେ ବ୍ୟବସାୟୀଙ୍କ ଘରେ ଡକାୟତି, ନଗଦ ୧୮ ଲକ୍ଷ ଟଙ୍କା ଓ ୧୦୦ ଗ୍ରାମ ସୁନା ଲୁଟ୍

ନବରଙ୍ଗପୁର: ସହରର ଜଣେ ବ୍ୟବସାୟୀଙ୍କ ଘରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଡକାୟତି କରିଛନ୍ତି। ଲୁଟେରାମାନେ ପ୍ରାୟ ୧୦୦ ଗ୍ରାମ ସୁନା ଅଳଙ୍କାର ଓ ନଗଦ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଦାରୁବନ୍ଧ ସାହିସ୍ଥିତ ବ୍ୟବସାୟୀ ସରୋଜ ମହାନ୍ତିଙ୍କ ଘରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଏହି ଲୁଟ୍ ହୋଇଛି। ସେତେବେଳେ ଘରେ ତାଙ୍କ ପତ୍ନୀ ଅମିତା ହିଁ ଉପସ୍ଥିତ ଥିଲେ। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ର ଧରି ଆସିଥିଲେ । ଆଉ ଅମିତାଙ୍କୁ ହତ୍ୟା ଧମକ ଦେଇଥିଲେ।

ଦୁର୍ବୃତ୍ତମାନେ ଅମିତାଙ୍କୁ ଛୁରୀ ଦେଖାଇ ଆଲମାରୀ ଖୋଲିବାକୁ ବାଧ୍ୟ କରିଥିଲେ। ଅମିତା ଆଲମାରୀ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ହାତ ବାନ୍ଧି ପାଟିରେ କପଡ଼ା ରଖିଥିଲେ। ଏହାପରେ ସେମାନେ ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ପାଖାପାଖି ୨୦ ମିନିଟର ସଂଘର୍ଷ ପରେ ଅମିତା କୌଣସି ପ୍ରକାରେ ପାଟିରୁ କପଡ଼ା ବାହାର କରି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ପଡ଼ୋଶୀମାନେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ।

ନବରଙ୍ଗପୁର ଏସପି ମିହିର କୁମାର ପଣ୍ଡା ଓ ସ୍ଥାନୀୟ ଥାନା ଆଇଆଇସି ସମ୍ବିତ କୁମାର ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତରେ ସହଯୋଗ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ କୁ ମଧ୍ୟ ଡକାଯାଇଛି।

ନବରଙ୍ଗପୁରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରାଯିବା ସହ ଜିଲ୍ଲାର ସମସ୍ତ ଥାନାକୁ ସତର୍କ କରାଯାଇଛି ବୋଲି ଏସପି କହିଛନ୍ତି। ଘଟଣାର ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *