ସ୍କୁଲରେ ପଡିଛି ତାଲା:ଝରକାରେ ରାତିସାରା ଝୁଲିଲା ଛୋଟ ଝିଅ
କେନ୍ଦୁଝର:କେନ୍ଦୁଝର ଜିଲ୍ଲାର ସାନ ଘାଗରା ନିକଟସ୍ଥ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।ରାତିସାର ଶ୍ରେଣୀ ଘରେ ବନ୍ଦ ହୋଇ ରହିଲା ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ଅନ୍ଧାରରେ ଘର ଭିତରୁ ବାହାରିବାକୁ ପ୍ରୟାସ କରି ରାତିସାରା ଝରକା ଗ୍ରୀଲରେ ଲଟକି ରହିଲେ । ରଡ ଭିତରେ ଅଟକିଗଲା ମୁଣ୍ଡ । ଶେଷରେ ସକାଳୁ ଯନ୍ତ୍ରଣାରେ ଛଟପଟ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ଗତକାଲି ସ୍କୁଲ ଛୁଟି ସମୟରେ ସ୍କୁଲ୍ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇଥିଲେ ସ୍କୁଲ କର୍ତୁପକ୍ଷ । ତାରି ଭିତରେ ରହିଯାଇଥିଲା ଛାତ୍ରୀ ଯୋଛନା ଦେହୁରୀ। ତେବେ ଅନ୍ଧାର ଭିତରୁ ବାହାରକୁ ଯିବାକୁ ପ୍ରୟାସ କରିଥିବା ବେଳେ ଦୁର୍ଦ୍ଦଶା ଆହୁରି ବଢିଯାଇଥିଲା । ଦେହ ବାହାରକୁ ବାହରଥିଲା ସତ ମୁଣ୍ଡଟି ଝରକା ରଡ ଭିତରେ ଅଟକି ରହିଥିଲା। ରାତିସାରା ଯନ୍ତ୍ରଣା ସହି ଝୁଲି ରହିଥିଲେ ଏହି କୋମଳମତି ଛାତ୍ରୀ ।
ସେପଟେ ସ୍କୁଲରୁ ନଫେରିବା ପରେ ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ |ପରେ ଆଜି ସ୍କୁଲ ରୋଷେୟା ଆସି ସକାଳେ ସ୍କୁଲ ଖୋଲିବା ପରେ ଝିଅଟି ଶ୍ରେଣୀ ଗୃହର ଝରକା ରେଲିଂରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା | ଝିଅଟି ବାହାରିବାକୁ ଚେଷ୍ଟା କରି ନିଜର ସମଗ୍ର ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେବି ଗୋଡ ଦୁଇଟି ବାହାରି ଥିବାବେଳେ ଅଣ୍ଟାରୁ ମୁଣ୍ଡ ପର୍ୟ୍ୟନ୍ତ ଲଟକି ରହିଥିଲା | ପରେ ପରିବାର ଲୋକ ଏବଂ ଗ୍ରାମବାସୀ ଝିଅଟିକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ସ୍ପଷ୍ଟ ଦେଖିବାକୁ ମିଳିଛି।
