ତିନି ତଲାକ୍ ଦେବା ଅଭିଯୋଗରେ ମୁସଲମାନ ପୁରୁଷଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଥ୍ୟ ଦେବାକୁ କେନ୍ଦ୍ରକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୁସଲିମ ପୁରୁଷଙ୍କ ଦ୍ୱାରା ତିନି ତଲାକ୍ ଘୋଷଣାକୁ ଅପରାଧ ଘୋଷଣା କରୁଥିବା ୨୦୧୯ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ ଅଧୀନରେ ରୁଜୁ ହୋଇଥିବା ଅପରାଧିକ ମାମଲାର ତଥ୍ୟ ଦାଖଲ କରିବାକୁ ସୁପ୍ରିମ୍ କୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଂସଦ ଦ୍ୱାରା ପ୍ରଣୟନ କରାଯାଇଥିବା ୨୦୧୯ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ଅନେକ ମୁସଲମାନ ସଂଗଠନ ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରିଥିଲେ।
ଶାୟରା ବାନୋ ମାମଲା ପରେ ତିନି ତଲାକ୍ ପ୍ରଥାର କୌଣସି ଆଇନଗତ ପ୍ରଭାବ ନଥିବାରୁ ଏହାକୁ ଅପରାଧୀକରଣ କରାଯାଇପାରିବ ନାହିଁ ବୋଲି ଆବେଦନକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଯୁକ୍ତି ବାଢ଼ିଥିଲେ।
୨୦୧୭ ମସିହାରେ ସମ୍ବିଧାନ ଖଣ୍ଡପୀଠ ଶାୟରା ବାନୋ ବନାମ ଭାରତ ସରକାରଙ୍କ ମାମଲାରେ ‘ତଲାକ୍-ଇ-ବିଦ୍ଦତ’କୁ ଖାରଜ କରିଦେଇଥିଲେ କାରଣ ଏହା ସମ୍ବିଧାନ ଅନୁଯାୟୀ ଜଣେ ମହିଳାଙ୍କୁ ଦିଆଯାଇଥିବା ମୌଳିକ ଅଧିକାର ଏବଂ ସମାନତାର ଅଧିକାରକୁ ଉଲ୍ଲଂଘନ କରିଥିଲା ଏବଂ ଏହି ପ୍ରଥାକୁ ଦଣ୍ଡନୀୟ କରିବାକୁ ପରାମର୍ଶ ଦେଇଥିଲା।
ପ୍ରଧାନ ବିଚାରପତି ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ ମୁସଲମାନ ପୁରୁଷଙ୍କ ବିରୋଧରେ ତିନି ତଲାକ ଦେବା ପାଇଁ ଦାଖଲ ହୋଇଥିବା ଏଫଆଇଆର ସଂଖ୍ୟା ଏବଂ ଚାର୍ଜସିଟ୍ ର ତଥ୍ୟ ରେକର୍ଡରେ ରଖିବାକୁ।
ତିନି ତଲାକ୍ ପ୍ରଥା ନିଷିଦ୍ଧ ଥିବା ବେଳେ ଏହାକୁ ଅପରାଧୀକରଣ କରାଯିବା ଉଚିତ ନୁହେଁ ଏବଂ ଏକାଥରକେ ତିନି ଥର ତଲାକ୍ କହି ଛାଡ଼ପତ୍ର ହୋଇପାରିବ ନାହିଁ ବୋଲି ଆବେଦନକାରୀଙ୍କ ଯୁକ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱ ଦେଇଛନ୍ତି। ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଚୂଡ଼ାନ୍ତ ଶୁଣାଣି ମାର୍ଚ୍ଚ ୧୭ରୁ ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।
ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ, ୨୦୧୯ର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଛନ୍ତି।