ଏସିଆ କପ୍ରୁ ବାଦ୍: ଚୟନକର୍ତ୍ତାଙ୍କୁ ନେଇ ରାଗିଗଲେ ମହମ୍ମଦ ସାମି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର୍ ମହମ୍ମଦ ସାମି ଏସିଆ କପ୍ ଦଳରୁ ବାଦ୍ ପଡ଼ିବାକୁ ନେଇ ଚୟନକର୍ତ୍ତାଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଫିଟ୍ନେସ୍ରେ ପାସ୍ କରିଥିବା ସତ୍ତ୍ବେ କାହିଁକି ତାଙ୍କୁ ଦଳରେ ସାମିଲ୍ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସାମି। ଏହି ଘଟଣା କ୍ରିକେଟ୍ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ବେଙ୍ଗାଲୁରୁରେ ଫିଟ୍ନେସ୍ ଟେଷ୍ଟରେ ସଫଳ ହୋଇଥିବା ସାମି କହିଛନ୍ତି ଯେ, ଦୁଲିପ୍ ଟ୍ରଫିରେ ଖେଳିପାରୁଥିବା ବେଳେ ଟି-ଟ୍ବେଣ୍ଟି ମ୍ୟାଚ୍ରେ କାହିଁକି ସୁଯୋଗ ମିଳିବ ନାହିଁ? ସେ ଚୟନକର୍ତ୍ତାଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ରିଜର୍ଭ ଖେଳାଳି ତାଲିକାରେ ତାଙ୍କ ନାମ ନାହିଁ। ଏହା ତାଙ୍କୁ ବ୍ୟଥିତ କରିଛି ଏବଂ ସେ ଏହାକୁ ଅନ୍ୟାୟ ବୋଲି ମନେ କରୁଛନ୍ତି।
୨୦୨୨ ପରେ ଚଳିତ ବର୍ଷର ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ରେ ସାମି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଉକ୍ତ ସିରିଜ୍ରେ ସେ ୩ଟି ୱିକେଟ୍ ନେଇ ଭଲ ପ୍ରଦର୍ଶନ କରିଥିଲେ। ଏହାପରେ ଆଇପିଏଲ୍ରେ ମଧ୍ୟ ତାଙ୍କର ପ୍ରଦର୍ଶନ ଉତ୍ସାହଜନକ ରହିଥିଲା। କିନ୍ତୁ ଏସବୁ ସତ୍ତ୍ବେ ଏସିଆ କପ୍ ଦଳରୁ ବାଦ୍ ପଡ଼ିବା ସାମିଙ୍କୁ ଆଶ୍ଚର୍ଯ୍ୟ କରିଛି।
ଶାମୀଙ୍କ ଏହି ବିଷୋଦଗାର ପରେ କ୍ରିକେଟ୍ ବିଶେଷଜ୍ଞମାନେ ଚର୍ଚ୍ଚା କରୁଛନ୍ତି ଯେ, ଭାରତୀୟ ଦଳର ଚୟନ ପ୍ରକ୍ରିୟାରେ କେଉଁ କାରଣରୁ ଏପରି ନିଷ୍ପତ୍ତି ନିଆଗଲା। କେତେକ କହୁଛନ୍ତି ଯେ, ଦଳରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ହୋଇପାରେ ଏହା। କିନ୍ତୁ ସାମିଙ୍କ ଅଭିଜ୍ଞତା ଏବଂ ଫର୍ମକୁ ନଜରରେ ରଖି ଏହି ନିଷ୍ପତ୍ତି ଅନୁଚିତ୍ ବୋଲି ଅନେକ କ୍ରିକେଟ୍ ପ୍ରେମୀ ମତ ଦେଉଛନ୍ତି।
ଏସିଆ କପ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଏହି ବିବାଦ ଦଳର ମନୋବଳକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ବିସିସିଆଇର ଚୟନ ସମିତି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଭବିଷ୍ୟତରେ ସାମିଙ୍କୁ କେଉଁ ସିରିଜ୍ରେ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଛି।
