ଏହି ଯୁବତୀଙ୍କ ସହ ହେଲା ଅର୍ଜୁନଙ୍କର ନିର୍ବନ୍ଧ, ଜାଣିଛନ୍ତି ସେ କିଏ?
ନୂଆଦିଲ୍ଲୀ: ‘କ୍ରିକେଟର ଭଗବାନ’ କୁହାଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହ ସମ୍ପନ୍ନ ହୋଇଛି। ୨୫ ବର୍ଷୀୟ ଅର୍ଜୁନ ବୁଧବାର ସାନିଆଙ୍କ ସହ ନିର୍ବନ୍ଧ କରିଥିବା ଜଣାଯାଇଛି। ସାନିଆ ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ। ଏହି ନିର୍ବନ୍ଧ ସମାରୋହ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା ଏବଂ ଏଥିରେ ଦୁଇ ପରିବାର ସହ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ।
ସୂଚନା ଅନୁଯାୟୀ, ସାନିଆ ଅର୍ଜୁନଙ୍କ ପିଲାଦିନର ବନ୍ଧୁ ଏବଂ ତାଙ୍କ ବାପା ମଧ୍ୟ ସଚିନ ତେନ୍ଦୁଲକରଙ୍କ ବନ୍ଧୁ। ନିର୍ବନ୍ଧ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲେ ହେଁ ତେନ୍ଦୁଲକର କିମ୍ବା ଘର ପରିବାର ଏହାକୁ ସର୍ବସମ୍ମୁଖରେ ନିଶ୍ଚିତ କରିନାହାନ୍ତି।
ଅର୍ଜୁନ ତେନ୍ଦୁଲକର ଜଣେ ବୋଲିଂ ଅଲରାଉଣ୍ଡର ଭାବେ କ୍ରିକେଟ ଜଗତରେ ପରିଚିତ। ସେ ୨୦୨୩ରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ମୋଟ ପାଞ୍ଚଟି ମ୍ୟାଚ୍ ଖେଳି ୧୩ ରନ୍ ସଂଗ୍ରହ କରିଛନ୍ତି ଏବଂ ତିନୋଟି ୱିକେଟ ହାସଲ କରିଛନ୍ତି। ତେବେ, ୨୦୨୫ ଆଇପିଏଲରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।
ଅନ୍ୟପକ୍ଷରେ, ସାନିଆ ଚନ୍ଦୋକ ମୁମ୍ବାଇସ୍ଥିତ ମିଷ୍ଟର ପ’ଜ୍ ପେଟ୍ ସ୍ପା ଆଣ୍ଡ୍ ଷ୍ଟୋର୍ ଏଲଏଲପିରେ ଜଣେ ଅଂଶୀଦାର ଏବଂ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
