ଦୀର୍ଘବର୍ଷ ହେବ ଚାଲିଆସିଥିବା ଯୁଦ୍ଧ ବନ୍ଦ ହେବ କି? ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ପୁଟିନ୍ ରାଜି
ଯୁଦ୍ଧ ଭୂମୀକୁ ଫେରିବ ଶାନ୍ତି ! ରକେଟ୍, ମିସାଇଲ୍, ବୋମା ମାଡରୁ ୟୁକ୍ରେନ୍ ମାଟିକୁ ମିଳିବ ତ୍ରାହି । ଦୀର୍ଘ ବର୍ଷ ହେବ ନିଆଁର ଆଁରେ ପ୍ରତି ମୂହୁର୍ତ୍ତରେ ଜଳୁଥିବା ୟୁକ୍ରେନ୍ ଶାନ୍ତିରେ ନିଶ୍ୱାସ ନେବ । କାହିଁକିନା ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବା ପାଇଁ ରାଜି ହୋଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ ।
ଯୁଦ୍ଧଭୂମିରୁ ଆସିଛି ବଡ ଖବର । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିବାକୁ ରୁଷ ରାଷ୍ଟ୍ରପତି ପ୍ରସ୍ତୁତ ଥିବା ସୂଚନା ଦେଇଛି କ୍ରେମଲିନ । ତିନି ବର୍ଷର ଯୁଦ୍ଧପରେ ଋଷ ଓ ଆମେରିକାର କୂଟନୀତିଜ୍ଞମାନେ ସାଉଦି ଆରବରେ ଏକ ବୈଠକ କରିବା ପରେ ଋଷ ପକ୍ଷରୁ ଏହି ଘୋଷଣା ସାମ୍ନାକୁ ଆସିଛି । ତେବେ ଏହି ବୈଠକରେ ୟୁକ୍ରେନର କୌଣସି ଅଧିକାରୀ ସାମିଲ ହୋଇ ନଥିଲେ ବୋଲି ସୂଚନା ମିଳଛି ।
ଅନ୍ୟପଟେ ଜେଲେନ୍କି “ୟୁକ୍ରେନ ପଛରେ ହେଉଥିବା କୌଣସି ଶାନ୍ତି ଚୁକ୍ତିକୁ ଗ୍ରହଣ କରାଯିବ ନାହିଁ” ବୋଲି ଘୋଷଣା କରିଛନ୍ତି । ସୀମାକୁ ନେଇ ଉଭୟ ଦେଶ ନିଜ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି । କିଭ୍ ପଛକୁ ହଟିଲେ ଆମେ ଯୁଦ୍ଧ ବନ୍ଦ କରିଦେବୁ ବୋଲି ପୁଟିନ ଗତ ବର୍ଷ ଘୋଷଣା କରିଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ୟୁକ୍ରେନ ଗ୍ରହଣ ନକରି ଯୁଦ୍ଧ ଜାରି ରଖିଥିଲା । ତେବେ ଆମେରିକୀୟ ରାଷ୍ଟ୍ରପତି ଭାବେ ଟ୍ରମ୍ପ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି ।
