ମୋହନ ଭାଗବତଙ୍କ ଆହ୍ବାନ: ପରିବାରରେ ତିନି ସନ୍ତାନ ଜରୁରୀ, ଜନସଂଖ୍ୟା ନୀତି ଉପରେ ଉଠିଲା ବିତର୍କ-

ନାଗପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଭାରତର ପରିବାରଗୁଡ଼ିକୁ ତିନି ସନ୍ତାନ କରିବାକୁ ଆହ୍ବାନ ଦେଇଛନ୍ତି। ଆରଏସଏସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଜନସଂଖ୍ୟା ନିୟନ୍ତ୍ରଣରେ ରହିବା ସହ ପର୍ଯ୍ୟାପ୍ତ ରହିବା ପାଇଁ ପ୍ରତ୍ୟେକ ଦମ୍ପତିଙ୍କୁ ତିନି ସନ୍ତାନ କରିବା ଆବଶ୍ୟକ। ଭାରତର ବର୍ତ୍ତମାନର ଜନ୍ମହାର ୨.୧ ରହିଛି, ଯାହା ସନ୍ତୁଳନ ରକ୍ଷା ପାଇଁ ଅପର୍ଯ୍ୟାପ୍ତ ବୋଲି ସେ ଉଲ୍ଲେଖ କରିଛନ୍ତି।

ବିଜ୍ଞାନୀମାନେ କୁହନ୍ତି ଯେ, ଜନ୍ମହାର ୩ରୁ କମ୍ ହେଲେ ସମାଜ ଧୀରେ ଧୀରେ ଲୋପ ପାଇବ ବୋଲି ଭାଗବତ କହିଛନ୍ତି। ଏହା ସହ ସେ ବିବାହରେ ବିଳମ୍ବ ନକରିବାକୁ ଏବଂ ତିନି ସନ୍ତାନ ଦ୍ବାରା ମାତା-ପିତା ଓ ସନ୍ତାନମାନଙ୍କର ସ୍ବାସ୍ଥ୍ୟ ଭଲ ରହିବ ବୋଲି ପରାମର୍ଶ ଦେଇଛନ୍ତି।

ଏହି ବୟାନ ଉପରେ ବିଭିନ୍ନ ରାଜନୈତିକ ଦଳରୁ ପ୍ରତିକ୍ରିୟା ଆସିଛି। ଡିଏମକେର ମୁଖପାତ୍ର ଟିକେଏସ ଇଲଙ୍ଗୋଭନ କହିଛନ୍ତି ଯେ, ଭାରତ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବା ବେଳେ ଏହା ଦାରିଦ୍ର୍ୟ ବୃଦ୍ଧି କରିବ ଏବଂ ଆରଏସଏସର ଚିନ୍ତାଧାରା ବୈଜ୍ଞାନିକ ନୁହେଁ। କଂଗ୍ରେସର ଉତ୍ତରପ୍ରଦେଶ ରାଜ୍ୟ ସଭାପତି ଅଜୟ ରାୟ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ, ଆରଏସଏସ ଲୋକମାନେ ସମ୍ପୂର୍ଣ୍ଣ ଅନୈତିକ ଏବଂ ସଂଘରେ ଏପରି ଲୋକଙ୍କର ଫୌଜ ରହିଛି। ଟିଏମସିର ରାଜ୍ୟ ଉପସଭାପତି ଜୟ ପ୍ରକାଶ ମଜୁମଦାର ଏହାକୁ ବ୍ୟକ୍ତିଗତ ମତ ବୋଲି କହି ଚୀନର ପୁରୁଣା ମଡେଲର ଅନୁକରଣ ବୋଲି ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ, ରାଜସ୍ଥାନ ଅର୍ଥ ଆୟୋଗର ଅଧ୍ୟକ୍ଷ ଅରୁଣ ଚତୁର୍ବେଦୀ ଏହି ବୟାନକୁ ସମର୍ଥନ କରି କହିଛନ୍ତି ଯେ, ଜନସଂଖ୍ୟାର ଅସନ୍ତୁଳନ ଏକ ଗମ୍ଭୀର ବିଷୟ ଏବଂ ଏକ ସନ୍ତାନ ଥିବା ପରିବାରରେ ଅନେକ ସମସ୍ୟା ଉପୁଜୁଛି।
ଅନ୍ଧ୍ରପ୍ରଦେଶ କଂଗ୍ରେସର ଉପସଭାପତି ଭି ଗୁରୁନାଧମ କହିଛନ୍ତି ଯେ, ଏହା ଦେଶର ଆୟ-ବ୍ୟୟ ଏବଂ ସୁବିଧା ଉପରେ ନିର୍ଭର କରେ, ଯେପରି ଚୀନରେ ଏକ ସନ୍ତାନ ନୀତି ରହିଛି।

Leave a Reply

Your email address will not be published. Required fields are marked *