ଆଶ୍ଚର୍ଯ୍ୟ କରିଦେବ ଓଡ଼ିଶାର ସ୍ଥିତି: ୬ ମାସରେ ଓଡ଼ିଶାର ଦେଢ଼ ଲକ୍ଷ ଲୋକଙ୍କୁ କାମୁଡ଼ିଛି କୁକୁର

ଭୁବନେଶ୍ୱର: ଡ଼ିଶାରେ ପାଗଳା କୁକୁରଙ୍କ ଆକ୍ରମଣ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଚଳିତ ବର୍ଷର ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ କୁକୁର କାମୁଡା ମାମଲା ରିପୋର୍ଟ ହୋଇଛି। ଗତ ଛଅ ମାସରେ ପ୍ରତି ମାସ ୨୦ ହଜାରରୁ ୩୦ ହଜାର ମାମଲା ଆସିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ସମସ୍ତ କାମୁଡା ମାମଲା ପାଗଳ କୁକୁରଙ୍କ ଦ୍ବାରା ହୋଇନାହିଁ, କିନ୍ତୁ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବା ଏହାର ମୂଳ କାରଣ।

ରାଜ୍ୟର ସମସ୍ତ ହସ୍ପିଟାଲରେ ଏନ୍ଟି-ରାବିଜ୍ (ARV) ଟିକା ଉପଲବ୍ଧ କରାଯାଇଛି। ଡାକ୍ତର ମିଶ୍ର ଚେତାବନୀ ଦେଇଛନ୍ତି ଯେ, କାମୁଡା ପରେ ଠିକ ସମୟରେ ଟିକା ନ ନିଆଯାଇଥିଲେ ଜଳାନ୍ତକ ବିକାଶ ହୋଇପାରେ, ଯାହା ଘାତକ ହୋଇପାରେ। ଏହିପରି ସଂକ୍ରମଣରୁ ବଞ୍ଚିବା ପାଇଁ ଇନ୍ଟରସେକ୍ଟରାଲ କୋ-ଅର୍ଡିନେସନ୍ କମିଟି (ICVC) କାର୍ଯ୍ୟକ୍ରମ ଚଲିଛି, ଯାହା ଲୋକଙ୍କୁ ସଚେତନ କରୁଛି। ବଲାଙ୍ଗୀରରେ ଦୁଇଟି ମୃତ୍ୟୁ ମାମଲା ରିପୋର୍ଟ ହୋଇଛି, ଯାହାର ଯାଞ୍ଚ ଚାଲିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ, ବୁଲା କୁକୁରଙ୍କ ସଂଖ୍ୟା ବହୁତ ଅଧିକ ହୋଇଛି। ଗତ ଦୁଇ ବର୍ଷ ଧରି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଗତ ମେ ମାସରୁ ପୌର ସଂସ୍ଥାଗୁଡ଼ିକ ପୁନର୍ବାର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏହି କାର୍ଯ୍ୟକ୍ରମକୁ ତୀବ୍ର କରିବାକୁ ଯୋଜନା କରୁଛି, ଯାହା ଦ୍ୱାରା ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯାଇପାରିବ।

ଏଥି ନେଇ କିଛି ସତର୍କତା ଅବଲମ୍ବନ କରିବା ଉଚିତ , ଯେପରିକି ବୁଲା କୁକୁରଙ୍କଠାରୁ ଦୂରେଇ ରହନ୍ତୁ ଓ କାମୁଡ଼ିଲେ ତୁରନ୍ତ ନିକଟରେ ହସ୍ପିଟାଲରେ ଟିକା ଗ୍ରହଣ କରନ୍ତୁ। ଠିକ ସମୟରେ ଟିକା ନେବା ଜୀବନ ବଞ୍ଚାଇପାରେ। ଏନେଇ ସମସ୍ତ ପ୍ରଶାସନିକ ସ୍ତରରେ ଏହି ସମସ୍ୟାର ସମାଧାନ ପାଇଁ ଦ୍ରୁତ କାର୍ଯ୍ୟକ୍ରମ ଆରମ୍ଭ ହେବା ଜରୁରୀ

Leave a Reply

Your email address will not be published. Required fields are marked *