ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି ନ ହେଲେ ଇସ୍ତଫା ଓ ଆନ୍ଦୋଳନ!

ଭୁବନେଶ୍ୱର: ଓଡ଼ିଶାର ଆୟୁଷ ଡାକ୍ତରମାନେ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆସନ୍ତା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଦରମା ଦୁଇଗୁଣ ନହେଲେ ସାମୂହିକ ଇସ୍ତଫା ଦେବା ସହ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇବାକୁ ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ଘୋଷଣା କରିଛି।

କମିଟିର ରାଜ୍ୟ ଅଧ୍ୟକ୍ଷ ଡା. ବିଶ୍ୱରଞ୍ଜନ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦିଆଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା ସତ୍ତ୍ୱେ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କିମ୍ବା ଚାକିରି ନିୟମିତ କରାଯାଇନାହିଁ। “ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଏକାଧିକ ଥର ଜଣାଇବା ପରେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ,” ବୋଲି ଡା. ଜେନା ଅଭିଯୋଗ କରିଛନ୍ତି।

ଆୟୁଷ ଡାକ୍ତରମାନେ ପାଞ୍ଚଟି ମୁଖ୍ୟ ଦାବି ଉପସ୍ଥାପନ କରିଛନ୍ତି,ତାହା ପୂରଣ ନହେଲେ ଆନ୍ଦୋଳନ ଅନିବାର୍ଯ୍ୟ ବୋଲି ସେମାନେ କହିଛନ୍ତି। ତାଙ୍କ ଦାବିମଧ୍ୟରେ ରହିଛି :ନିୟମିତ ଆୟୁଷ ଡାକ୍ତରଙ୍କ ସମାନ ଦରମା ବୃଦ୍ଧି,ଚାକିରି ନିୟମିତ କରିବା,ଆୟୁଷ ଔଷଧର ନିୟମିତ ଯୋଗାଣ,ସ୍ୱତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ସୃଷ୍ଟି,ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ।

ଡା. ଜେନା କହିଛନ୍ତି, “ଆୟୁଷ ଡାକ୍ତରମାନେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, କିନ୍ତୁ ସେମାନଙ୍କ ସେବାର ଉଚିତ ମୂଲ୍ୟାଙ୍କନ ହେଉନାହିଁ। ସରକାର ଯଦି ଏହି ଦାବିଗୁଡ଼ିକୁ ଗୁରୁତ୍ୱ ଦିଅନ୍ତି ନାହିଁ, ତେବେ ଆମେ ସାମୂହିକ ଇସ୍ତଫା ଦେବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବୁ।”

ଏହି ସାମ୍ବାଦିକ ସମ୍ମିଳନୀରେ ଡା. ସଲୀଳ ମୋହିନୀ ମହାନ୍ତି, ଡା. ସସ୍ମିତା ମହାନ୍ତ, ଡା. ସ୍ମୃତିରଞ୍ଜନ ସାହୁ, ଡା. ଶୁଭେନ୍ଦୁ ଦାସ, ଡା. ତପନ ସାମଲ, ଡା. ସୁବ୍ରତ ମହାପାତ୍ର, ଡା. ପ୍ରଦୀପ ଚମ୍ପତ୍ତି, ଡା. ବି.କେ. ପ୍ରଶାନ୍ତ, ଡା. ବିଭୂତି ଭୂଷଣ ଜତି ଏବଂ ଡା. ରବୀନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *