ପୁରୀ ଶ୍ରୀମନ୍ଦିରର ୪୨ ବର୍ଷର ହୁଣ୍ଡି ସ୍ଥାନାନ୍ତର: ଧାଡ଼ି ଦର୍ଶନ ପାଇଁ ନୂଆ ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ସ୍ଥାପିତ ୪୨ ବର୍ଷର ପୁରୁଣା ହୁଣ୍ଡି ଏବେ ସ୍ଥାନାନ୍ତର ହେବ। ନାଟମଣ୍ଡପରେ ଚାଲିଛି ଏହା ପାଇଁ ଉପଯୁକ୍ତ ଜାଗା ଖୋଜା। ସେପ୍ଟେମ୍ବର ୧୫ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାରୁ, ବର୍ତ୍ତମାନ ରହିଥିବା ହୁଣ୍ଡି ଧାଡ଼ିରେ ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଇଛି। ସେଥିପାଇଁ ଏହାକୁ ହଟାଇବା ଏବଂ ନୂଆ ସ୍ଥାନରେ ପୁନଃସ୍ଥାପନ କରିବାକୁ ସ୍ଥିର ହୋଇଛି।

ଧାଡ଼ି ଦର୍ଶନ ଆରମ୍ଭ ହେଲେ ଭକ୍ତମାନେ ବାରିକେଡ୍‌ ଲଗାଇଥିବା ଧାଡ଼ିରେ ଯାଇପାରିବେ। ଏହାର ଅର୍ଥ, ନାଟମଣ୍ଡପରେ ବାରିକେଡ୍‌ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ସୁବିଧା ରହିବ ନାହିଁ। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରିବେ ଏବଂ ଘଣ୍ଟି କିମ୍ବା ପଣ୍ଡାଦ୍ବାର ଦେଇ ବାହାରିବେ। ଗରୁଡ଼ସ୍ତମ୍ଭକୁ ମଧ୍ୟ ଛୁଇଁବାକୁ ସୁବିଧା ରହିବ ନାହିଁ।

ଏହି ପରିସ୍ଥିତିରେ, ହୁଣ୍ଡି ଏମିତି ସ୍ଥାନରେ ରହିବା ଜରୁରି, ଯେଉଁଠି ଧାଡ଼ିରେ ଯାଉଥିବା ପ୍ରତ୍ୟେକ ଭକ୍ତଙ୍କ ହାତ ପାହାନ୍ତାରେ ରହିବ। ନଚେତ୍‌ ଅନେକ ଭକ୍ତ ମହାପ୍ରଭୁଙ୍କୁ ଦାନ କରିବାରୁ ବଞ୍ଚିତ ହେବେ। ସେଥିପାଇଁ ଏକ ସ୍ୱତନ୍ତ୍ର ଜାଗା ଖୋଜା ଚାଲିଛି, ଯେଉଁଠି ହୁଣ୍ଡି ସ୍ଥାପନ ହେବାରୁ ସାଧାରଣ ଦର୍ଶନରେ କୌଣସି ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ।

ଏଥି ପାଇଁ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଦୁଇଟି ଜାଗା ଚିହ୍ନଟ କରିଛନ୍ତି। ଏଥିରୁ ଗୋଟିଏ ଜାଗାକୁ ସ୍ଥିର କରି, ସେଠି ହୁଣ୍ଡି ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *