ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍, କାମ ଦେଉନି ୨ କୋଟି ଟଙ୍କାର ଉଚ୍ଚଶକ୍ତିସମ୍ପନ୍ନ ‘ବ୍ଲେଡ୍‌ ସର୍ଭର’

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିବା ଘଟଣା ଗତକାଲି ବିଳମ୍ବିତ ରାତିରେ ଜଣାପଡ଼ିଥିଲା। ୱେବସାଇଟ୍‌କୁ ଖୋଲିବା ସମୟରେ ଏହା ଏକ ବେଟିଂ ସାଇଟ୍‌ରେ ରିଡାଇରେକ୍ଟ ହେଉଛି, ଯେଉଁଥିରେ ଇଣ୍ଡୋନେସିଆ ଭାଷା ପରି ଲାଗୁଥିବା ଭାଷା ଲେଖାଯାଇଥିବା ଦେଖାଯାଉଛି।

ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିବା ଘଟଣା ଗତକାଲି (ଜୁଲାଇ ୨୭, ୨୦୨୫) ବିଳମ୍ବିତ ରାତିରେ ଜଣାପଡ଼ିଥିଲା। ୱେବସାଇଟ୍‌କୁ ଡେସ୍କଟପ୍ କିମ୍ବା ମୋବାଇଲରେ ଖୋଲିବା ସମୟରେ ଏକ ବେଟିଂ ପ୍ଲାଟଫର୍ମ ‘BENTO4D’ର ଲିଙ୍କ୍ ଦେଖିବାକୁ ମିଳୁଛି ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା , ଯେଉଁଥିରେ ଇଣ୍ଡୋନେସିଆ ଭାଷା ପରି ଲାଗୁଥିବା ଭାଷା ଲେଖାଯାଇଛି। ଏହି ଲିଙ୍କ୍ କ୍ଲିକ୍ କଲେ ବିଶ୍ଵବିଦ୍ୟାଳୟର କୌଣସି ତଥ୍ୟ ପ୍ରଦର୍ଶିତ ହେଉନାହିଁ, ଯାହା ପୂର୍ବରୁ ଦେଖାଯାଉଥିଲା। ଏହା ଯୋଗୁଁ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ୍ ଡାଉନଲୋଡ୍ କିମ୍ବା ଅନ୍ୟ ସେବା ବାଧାପ୍ରାପ୍ତ ହୋଇଛି | ବିଶ୍ଵବିଦ୍ୟାଳୟର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହ୍ୟାକରମାନେ ଚୋରି କରିଥିବା ଆଶଙ୍କାରେ ଛାତ୍ରଛାତ୍ରୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି |

ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଲୁନା ସାମନ୍ତ ଏହି ହ୍ୟାକିଂ ସମ୍ପର୍କରେ ଅଜଣା ଥିବା ଦାବି କରିଥିବା ବେଳେ, ଦାୟିତ୍ଵରେ ଥିବା ଅଧିକାରୀ ପ୍ରଫେସର ପ୍ରିୟଙ୍କା ପ୍ରିୟଦର୍ଶିନୀ ହ୍ୟାକିଂ ଘଟଣାକୁ ସ୍ଵୀକାର କରିଛନ୍ତି। ଓଡ଼ିଶା ପୁଲିସକୁ ଏ ନେଇ ଅବଗତ କରାଯାଇଥିବା ବେଳେ ତଦନ୍ତ ଜାରି କରିଛି ସାଇବର ପୋଲିସ।

ସୂଚନାଯୋଗ୍ୟ ଯେ ୨ ବର୍ଷ ପୂର୍ବେ ମଧ୍ୟ ଏହିଭଳି ହ୍ୟାକିଂ ଘଟଣା ସାମ୍ନାକୁ ଆସିଥିଲା। ବିଶ୍ଵବିଦ୍ୟାଳୟ ପକ୍ଷରୁ ୬ ବର୍ଷ ତଳେ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏକ ଉଚ୍ଚଶକ୍ତିସମ୍ପନ୍ନ ‘ବ୍ଲେଡ୍‌ ସର୍ଭର’ ସ୍ଥାପନ କରାଯାଇଥିଲା, ଯାହା ୮ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏକସଙ୍ଗରେ ସେବା ଯୋଗାଇବା ସହ ସୁରକ୍ଷା ବ୍ୟବସ୍ଥାକୁ ହ୍ୟାକିଂରୁ ରକ୍ଷା କରିବ ବୋଲି ଦାବି କରାଯାଇଥିଲା। କିନ୍ତୁ ପୁନରାବୃତ୍ତ ହ୍ୟାକିଂ ଘଟଣା ଏହି ସର୍ଭରର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *