ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ: ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ରାଜନେତା, ବିଜୁ ଜନତା ଦଳର ନେତା ତଥା ନୂଆପଡ଼ା ବିଧାନସଭା ଆସନର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ ରାଜ୍ୟ ରାଜନୀତିରେ ଏକ ବଡ଼ କ୍ଷତି ସୃଷ୍ଟି କରିଛି। ଦୀର୍ଘଦିନର ଅସୁସ୍ଥତା ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ନିଧନ ଖବର ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଓଡ଼ିଶା ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପଶ୍ଚିମ ଓଡ଼ିଶାର ଲୋକଙ୍କ ସମସ୍ୟା ନେଇ ସେ ସବୁବେଳେ ସ୍ୱର ଉଠାଇଥିଲେ ଏବଂ ଦଳର ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ଭୂମିକା ଅନନ୍ୟ ଥିଲା। ତାଙ୍କ ନିଧନକୁ ରାଜନୈତିକ ମହଲରେ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରାଯାଉଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, “ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜବୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ବର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”

ସୁରେଶ ପୂଜାରୀ କହିଛନ୍ତି, “ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ନୂଆପଡ଼ା ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖୂତ ଓ ମର୍ମାହତ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।”

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, “ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତି ବିଷୟରେ ଜାଣି ଅତ୍ୟନ୍ତ ଦୁଃଖୂତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।”

କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି, “ନୂଆପଡ଼ା ଏମ୍‌ଏଲ୍‌ଏ ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦୀର୍ଘ ଅସୁସ୍ଥତା ପରେ ନିଧନରେ ଗଭୀର ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ମୋର ହୃଦୟଗତ ସମବେଦନା। ଓମ୍ ଶାନ୍ତି।”

ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ପୂର୍ବତନ ମନ୍ତ୍ରୀ ଏବଂ ନୂଆପଡ଼ାରୁ ଚାରିଥର ଏମ୍‌ଏଲ୍‌ଏ ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନିଧନରେ ଗଭୀର ଦୁଃଖିତ। ଓଡ଼ିଶାର ସାର୍ବଜନୀନ ଜୀବନରେ ଏକ ଉଚ୍ଚ ବ୍ୟକ୍ତିତ୍ୱ, ତାଙ୍କ ଉତ୍ତରାଧିକାରୀ ଅବିରତ ସେବା, ଗ୍ରାସରୁଟ୍ସ ନେତୃତ୍ୱ ଏବଂ ପଶ୍ଚିମ ଓଡ଼ିଶାର ଲୋକଙ୍କ ପ୍ରତି ଗଭୀର ପ୍ରତିବଦ୍ଧତା ଦ୍ୱାରା ପରିଭାଷିତ। ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଯେ ତାଙ୍କ ଉଦାର ଆତ୍ମାକୁ ଅନନ୍ତ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ଦିବ୍ୟ ପାଦରେ ସ୍ଥାନ ଦିଅନ୍ତୁ। ତାଙ୍କ ପରିବାର, ସହକର୍ମୀ ଏବଂ ନୂଆପଡ଼ାର ଲୋକଙ୍କୁ ମୋର ହୃଦୟଗତ ସମବେଦନା। ଓମ୍ ଶାନ୍ତି।”

ଅନ୍ୟ ଏକ ବାର୍ତ୍ତାରେ କୁହାଯାଇଛି, “ନୂଆପଡ଼ା ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ନିଧନ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖୂତ ଏବଂ ମର୍ମାହତ। ତାଙ୍କ ପରିବାର ବର୍ଗ ଙ୍କ ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି। ଓଁ ଶାନ୍ତି!”

ରାଜେନ୍ଦ୍ର ଢୋଲକିଆଙ୍କ ନିଧନ ସହ ଓଡ଼ିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ଜନସେବା ଏବଂ ନେତୃତ୍ୱ ସବୁବେଳେ ସ୍ମରଣୀୟ ରହିବ। ସମଗ୍ର ରାଜ୍ୟବାସୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛନ୍ତି।

Leave a Reply

Your email address will not be published. Required fields are marked *