ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ବର୍ଷା

ରାଜ୍ୟରେ ଆସନ୍ତା ୨୧ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି । ଗୁରୁବାର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ ଓ ୨୧ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ତିନି ଦିନ ଯାଏ ପୂରା ରାଜ୍ୟରେ ଦିନବେଳା ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଗୁରୁବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ୨୧ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ବର୍ଷା ସମ୍ଭାବନା ଅଛି । ରାଜ୍ୟରେ ରାତି ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ମଙ୍ଗଳବାର ରାତିରୁ ପାରଦ ଉପର ମୁହାଁ ହୋଇଛି । ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ୍ ବଢ଼ିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ପାଲଟିଥିଲା । ଏଠାରେ ପାରଦ ୪.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । କିନ୍ତୁ ଗତ ୨୪ ଘଣ୍ଟାରେ ଏଠାରେ ପାରଦ ୯.୬ ଡିଗ୍ରୀ ରହିଛି । ଦିନକରେ ପାରଦ ପ୍ରାୟ ୫ ଡିଗ୍ରୀ ବଢ଼ିଯାଇଛି।ରାଉରକେଲାରେ ପାରଦ ୫.୭ ଡିଗ୍ରୀ ଥିଲା । ବୁଧବାର ଏହା ୭.୨ଡିଗ୍ରୀରେ ପହଞ୍ଚିଛି । ଝାରସୁଗୁଡ଼ାରେ ୮.୨ ଡିଗ୍ରୀରୁ ୮.୬ଡିଗ୍ରୀରେ ପହଞ୍ଚିଛି । ଫୁଲବାଣୀରେ ୭.୫ ଡିଗ୍ରୀରୁ ୧୦ ଡିଗ୍ରୀକୁ ବଢ଼ିଛି । କେନ୍ଦୁଝରରେ ୮.୯ ଡିଗ୍ରୀରୁ ୧୧.୨ ଓ ଅନୁଗୁଳରେ ୯ ଡିଗ୍ରୀରୁ ୧୧ଡିଗ୍ରୀକୁ ବଢ଼ିଛି । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିଛି । ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିଛି । ଭୁବନେଶ୍ୱରରେ ରାତି ତାପମାତ୍ରା ୧୮.୬ ଡିଗ୍ରୀ ରହିଛି ।

Leave a Reply

Your email address will not be published. Required fields are marked *