ବିହାରରେ ରାହୁଲ ଓ ତେଜସ୍ୱୀଙ୍କ ବୁଲେଟ ରାଲି: ତେଜପ୍ରତାପଙ୍କ କଟାକ୍ଷ, ବିଜେପିର ତୀବ୍ର ସମାଲୋଚନା
ପାଟନା: କଂଗ୍ରେସ ଯୁବରାଜଙ୍କ ଭିନ୍ନ ଅନ୍ଦାଜ୍। ଲୋକଙ୍କ ପାଖରେ ପହଞ୍ଚିବାକୁ ଭିନ୍ନ ପ୍ରୟାସ।ବିହାରରେ ଚାଲୁଥିବା ‘ଭୋଟର ଅଧିକାର ଯାତ୍ରା’ ସମୟରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ରବିବାର ପୁର୍ଣ୍ଣିଆରେ ବୁଲେଟ ବାଇକ୍ ଚଲାଇ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚିଛନ୍ତି। ହେଲମେଟ ପିନ୍ଧି ରାହୁଲ ବୁଲେଟ ଚଳାଉଥିବା ବେଳେ ତେଜସ୍ୱୀ ମଧ୍ୟ ପାଖରେ ପୂର୍ଣ୍ଣ ଉତ୍ସାହରେ ଦେଖାଗଲେ। ଶତାଧିକ ସମର୍ଥକଙ୍କ ଗହଣରେ ଏହି ବାଇକ୍ ରାଲି ରାଜନୀତିରେ ଏକ ରୋଚକ ଦୃଶ୍ୟ ସୃଷ୍ଟି କରିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ୧୬ ଦିନିଆ ଯାତ୍ରା ୧୭ ଅଗଷ୍ଟରେ ସାସାରାମରୁ ଆରମ୍ଭ ହୋଇଥିଲା ଏବଂ ୧,୩୦୦ କିଲୋମିଟର ଅତିକ୍ରମ କରି ୨୦ରୁ ଅଧିକ ଜିଲ୍ଲା ପରିଭ୍ରମଣ କରି ୧ ସେପ୍ଟେମ୍ବରରେ ପାଟନାରେ ଏକ ବିଶାଳ ରାଲି ସହ ଶେଷ ହେବ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବିହାରର ଭୋଟର ତାଲିକାରେ ହୋଇଥିବା ଅନିୟମିତତା ଏବଂ ‘ଭୋଟ ଚୋରି’ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା। ରାହୁଲ ଗାନ୍ଧୀ ଏହି ଯାତ୍ରା ମାଧ୍ୟମରେ ବିଜେପି ଉପରେ ‘ଭୋଟ ଚୋରି’ର ଅଭିଯୋଗ ଆଣି ଗରିବ ଓ ଯୁବବର୍ଗଙ୍କ ସ୍ୱରକୁ ଉଚ୍ଚ କରୁଛନ୍ତି।
ତେବେ, ଏହି ବାଇକ୍ ରାଲିକୁ ନେଇ ରାଜନୀତିକ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ଆରଜେଡିରୁ ବହିଷ୍କୃତ ତେଜ ପ୍ରତାପ ଯାଦବ ନିଜ ଭାଇ ତେଜସ୍ୱୀ ଓ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, “ଏହି ନେତାମାନେ ଏୟାରକଣ୍ଡିସନ୍ କାର ଓ ହେଲିକପ୍ଟରରେ ବୁଲନ୍ତି, ସାଧାରଣ ଲୋକଙ୍କ ସହ ହାତ ମିଳାଇବାକୁ ଭୟ କରନ୍ତି।” ଅନ୍ୟପକ୍ଷରେ, ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ରାହୁଲ ଓ ତେଜସ୍ୱୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅସମ୍ମାନ କରିବାର ଅଭିଯୋଗ ଲଗାଇଛନ୍ତି। ଅନ୍ୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବଂଶବାଦୀ ରାଜନୀତି ଉପରେ କଟାକ୍ଷ କରି କହିଛନ୍ତି, “କିଛି ରାଜକୁମାର ବିହାରରେ ବୁଲୁଛନ୍ତି, ଯାହାର ବାପା କିମ୍ବା ମାଆ ମୁଖ୍ୟମନ୍ତ୍ରୀ ଥିଲେ।”
ଏହା ସତ୍ତ୍ୱେ, ରାହୁଲ ଓ ତେଜସ୍ୱୀଙ୍କ ଏହି ବୁଲେଟ ରାଲି ବିହାରରେ ରାଜନୀତିକ ଉତ୍ସାହ ସୃଷ୍ଟି କରିଛି। ସ୍ଥାନୀୟ ଲୋକମାନେ ରାସ୍ତାରେ ଧାଡ଼ିରେ ଠିଆ ହୋଇ ନେତାଙ୍କୁ ଦେଖିବା ପାଇଁ ଉତ୍ସାହ ପ୍ରକାଶ କରିଛନ୍ତି। ଏହି ଯାତ୍ରା ବିହାରର ରାଜନୀତିରେ ନୂଆ ରଙ୍ଗ ଯୋଗ କରିଛି ଏବଂ ଆଗାମୀ ଦିନରେ ଏହାର ପ୍ରଭାବ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
