ବିହାରରେ ପ୍ରିୟଙ୍କା ଓ ରାହୁଲଙ୍କ ଭୋଟର ଅଧିକାର ଯାତ୍ରା
ପାଟନା: ବିହାରରେ ଆଜି କଂଗ୍ରେସ ପକ୍ଷରୁ ବଡ଼ ରାଜନୈତିକ ଶକ୍ତି ପ୍ରଦର୍ଶନ ହୋଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୁପୌଲରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ରେ ସାମିଲ ହୋଇଛନ୍ତି।
ରାହୁଲ ଗାନ୍ଧୀ ସକାଳ ୮ଟାରେ ସୁପୌଲ ସହରର ହୁସେନ ଚୌକରୁ ଏହି ଯାତ୍ରାର ଆରମ୍ଭ କରିଥିଲେ। ଏହାରେ ହଜାର-ହଜାର କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କର ଭିଡ଼ ଦେଖାଗଲା। ପଥରେ ବିଭିନ୍ନ ସ୍ଥାନରେ ଲୋକମାନେ ଫୁଲମାଳା, ଢୋଲ-ନଗାଡ଼ା ଓ ହାତତାଳିରେ ନେତାମାନଙ୍କୁ ସ୍ବାଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆରଜେଡି ନେତା ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଭିଆଇପି ମୁଖ୍ୟ ମୁକେଶ ସାହନୀ ମଧ୍ୟ ସାମିଲ ହୋଇଛନ୍ତି। ବିହାରରେ ବିପକ୍ଷୀୟ ଦଳମାନଙ୍କର ସାମୁହିକ ଏକତାକୁ ଏହି ଯାତ୍ରା ପ୍ରତିଫଳିତ କରୁଛି।
ପ୍ରିୟଙ୍କା ଗାନ୍ଧୀ ଆଜି ସୁପୌଲ ଓ ମଧୁବନୀରେ ଜନସଭାରେ ଅଂଶଗ୍ରହଣ କରି, ଲୋକମାନଙ୍କୁ ସମ୍ବୋଧନ କରିବେ। ସେ ନାରୀ, କୃଷକ ଓ ଯୁବସମସ୍ୟା ସହିତ ଭୋଟରଙ୍କ ଅଧିକାର ବିଷୟରେ କଥା କହିବେ ବୋଲି ସୂଚନା ମିଳିଛି। ଆସନ୍ତାକାଲି ସେ ସୀତାମଢ଼ୀର ପ୍ରସିଦ୍ଧ ଜାନକୀ ମନ୍ଦିରରେ ପୂଜାର୍ଚ୍ଚନା କରି, ପରବର୍ତ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବେ।
‘ଭୋଟର ଅଧିକାର ଯାତ୍ରା’ ମାଧ୍ୟମରେ କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳମାନେ ମୁଖ୍ୟତଃ ଭୋଟରମାନଙ୍କୁ ସଚେତନ କରିବା, ଗଣତନ୍ତ୍ରରେ ସେମାନଙ୍କ ଅଧିକାର ସମ୍ପର୍କରେ ଜାଣିବା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
