ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ବିହାରରେ ସୃଷ୍ଟି କଲା ନୂଆ ରାଜନୈତିକ ସନ୍ଦେଶ: ଇରଫାନ ଅନସାରୀ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଇରଫାନ ଅନସାରୀ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ‘ଭୋଟର ଅଧିକାର ଯାତ୍ରା’ ବିହାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ଏବଂ ଏହା ବିଜେପି-ଜେଡିୟୁ ଶାସନକୁ ସିଧାସଳଖ ପ୍ରଭାବିତ କରିବ।
ଅନସାରୀଙ୍କ କହିବା ଅନୁସାରେ, ସେ ରାହୁଲ ଗାନ୍ଧୀଙ୍କ ରାଲିରେ ୬ ଦିନ ଧରି ଯୋଗ ଦେଇଥିଲେ ଏବଂ ଜନତାଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଯେ ବିହାରର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାରୁ ପ୍ରାୟ ୬୫ ଲକ୍ଷ ନାମ କାଟିଦିଆଯାଇଛି, ଯାହା ୭୦ଟି ବିଧାନସଭା ଆସନକୁ ପ୍ରଭାବିତ କରିପାରେ। ଏହି ଭୋଟରମାନେ ମୁଖ୍ୟତଃ ମୁସଲମାନ, ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ସେ କହିଛନ୍ତି ଯେ, ଦାବି-ଆପତ୍ତି ପାଇଁ ସମୟସୀମା ବଢ଼ାଇବାର ଆବେଦନ ଖାରଜ ହେବା ଭୁଲ ନିଷ୍ପତ୍ତି। ଅନସାରୀଙ୍କ ମତରେ, ଆଧାରରୁ ନାମ କାଟିବା ଲୋକଙ୍କ ବ୍ୟାଙ୍କ ଖାତା ଜବତ କରିବା ପରି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରତିକ ବୟାନକୁ ପ୍ରତିକ୍ରିୟା ଦେଇ ଅନସାରୀ କହିଛନ୍ତି ଯେ, ବିଜେପି ଲୋକପ୍ରିୟତା ହାସଲ ପାଇଁ ଷଡ଼ଯନ୍ତ୍ର କରୁଛି ଏବଂ କାନ୍ଦୁଆ ନାଟକ କରୁଛି। କଂଗ୍ରେସ କେବେ ମା’-ଭଉଣୀଙ୍କ ଅସମ୍ମାନ କରେନାହିଁ ବୋଲି ସେ ଦାବି କରିଛନ୍ତି।
ଯାତ୍ରାଟି ୧୭ ଅଗଷ୍ଟରୁ ଆରମ୍ଭ ହୋଇ ୧ ସେପ୍ଟେମ୍ବର ପଟନାରେ ବିଶାଳ ରାଲି ସହ ସମାପ୍ତ ହୋଇଥିଲା। ଏହା ବିହାରର ୨୩ଟି ଜିଲ୍ଲା ଦେଇ ୧୩୦୦ କି.ମି. ଅତିକ୍ରମ କରିଛି। ଏଥିରେ ରାହୁଲ ଗାନ୍ଧୀ ସହିତ ତେଜସ୍ୱୀ ଯାଦବ, ଲାଲୁ ପ୍ରସାଦ ଯାଦବ, ଅଖିଲେଶ ଯାଦବ, ଏମକେ ଷ୍ଟାଲିନ ଓ ଅନ୍ୟାନ୍ୟ ଇଣ୍ଡିଆ ମେଣ୍ଟ ନେତାମାନେ ଯୋଗ ଦେଇଥିଲେ।
