‘ଆପଣମାନେ ଜଣେ ଜଣେ ବାଘ’ କର୍ମୀଙ୍କ ଭିତରେ ଜୋସ ଭରିଦେଲେ ରାହୁଲ ଗାନ୍ଧୀ
ଭୁବନେଶ୍ୱର: ‘ଆପଣମାନେ ଜଣେ ଜଣେ ବାଘ। କାହାକୁ ଡରିବା ଦରକାର ନାହିଁ। ଆଗକୁ ବଢ଼ନ୍ତୁ। ଆପଣଙ୍କ ରକ୍ତରେ, ଡିଏନ୍ଏରେ କଂଗ୍ରେସ ଦଳର ବିଚାରଧାରା, ଗାନ୍ଧୀଜୀଙ୍କର ଓ ସମ୍ବିଧାନର ବିଚାରଧାରା ଅଛି। ଯାଅ ଲଢ଼େଇ କର। ଏ ସରକାରକୁ ବଦଳାଇ ଦିଅ। ଆଜି ଏମିତି ଢଙ୍ଗରେ କହି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ଓଡ଼ିଶା ସରକାରର କାମ ହେଉଛି ଓଡ଼ିଶାର ଧନକୁ ଗରିବ ଲୋକଙ୍କଠାରୁ ଚୋରି କରିବା। ବିଜେଡି ୨୪ ବର୍ଷ ଧରି ଏହା କରୁଥିଲା, ଏବେ ବିଜେପି କରୁଛି। ଏ ସରକାର ଆପଣଙ୍କ ରକ୍ତ ଶୋଷୁଛି। ଆପଣଙ୍କର କ’ଣ ହେଲା, କ’ଣ ନାହିଁ; ସେମାନଙ୍କର କିଛି ଯାଏ ଆସେ ନାହିଁ।
ଏମାନେ ଗରିବ, ଦଳିତ, ଆଦିବାସୀଙ୍କ କଥା ଚିନ୍ତା କରୁନାହାନ୍ତି। କେବଳ ଆଦାନୀ, ଅମ୍ବାନି ଭଳି ୫/୬ ଜଣ ଅରବପତିଙ୍କ କଥା ଚିନ୍ତା କରୁଛନ୍ତି। ଏ ସରକାର ହଟିବା ଦରକାର। ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ବରମୁଣ୍ଡା ପଡ଼ିଆରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଓଡ଼ିଶା ସମେତ ସାରା ଦେଶରେ କିପରି ଅରାଜକତା ଚାଲିଛି, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସରକାର ଗରିବ, ଆଦିବାସୀ ଓ ଦଳିତଙ୍କୁ ଅତ୍ୟାଚାର କରୁଛନ୍ତି, ସେ ସମ୍ପର୍କରେ ବଖାଣିଥିଲେ। ରାହୁଲ କହିଛନ୍ତି, ଓଡ଼ିଶାରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ।

କିନ୍ତୁ ପେସା ଆଇନ ଲାଗୁ ନକରି, ଆଦିବାସୀଙ୍କୁ ନ ପଚାରି ସେମାନଙ୍କୁ ତାଙ୍କ ଜମିରୁ ହଟାଇ ଦିଆଯାଉଛି। ବିକାଶ କେବଳ ଦୁଇ ତିନି ପ୍ରତିଶତ ଲୋକ କିମ୍ବା ଅରବପତିଙ୍କ ପାଇଁ ହୁଏନି। ଗରିବ ଓ କୃଷକଙ୍କୁ ନେଇ ହେବା ଉଚିତ। କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନାକୁ ସମାଲୋଚନା କରି ସେ କହିଥିଲେ, ମୋଦୀଜୀ ଗରିବ ଓ ସରକାରଙ୍କ ଟଙ୍କାକୁ ୪ଟି ବଡ଼ କମ୍ପାନିକୁ ଦେଉଛନ୍ତି। କିନ୍ତୁ ବାତ୍ୟାବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀର ଫସଲ ନଷ୍ଟ ହେଲେ ଫସଲ ବୀମା ମିଳୁନି।
