ଓଡ଼ିଶା ଛାଡ଼ିଲେ, ରାଞ୍ଚିରେ ରଘୁବର ଦାସଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ଦୀର୍ଘ ୧୪ ମାସ ରାଜ୍ୟପାଳ ଭାବେ ରଘୁବର ଦାସ ଦାୟିତ୍ୱ ତୁଲାଇବା ପରେ ଆଜି ଓଡ଼ିଶାରୁ ବିଦାୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ତାଙ୍କୁ ବିଦାୟ ଦେଇଛନ୍ତି।
୨୦୨୩ ମସିହା ଅକ୍ଟୋବର ୧୮ ତାରିଖରେ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଡିସେମ୍ବର ୨୪ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପଦରୁ ଇସ୍ତଫା ଗ୍ରହଣ କରିଥିଲେ। ଡିସେମ୍ବର ୨୫ ରେ ରାଜଭବନ ପକ୍ଷରୁ ଦିଆଯାଇଥିବା ସରକାରୀ ବିବୃତିରେ ସେ ପଦରୁ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଯାଇଥିଲା।
ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ସକ୍ରିୟ ରାଜନୀତିକୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସେ ତାଙ୍କ ପୁରୁଣା ଆସନ ଜାମସେଦପୁର ଇଷ୍ଟରୁ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା । କିନ୍ତୁ ଏହି ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଥିଲା । ଏବଂ ତାଙ୍କ ବୋହୂଙ୍କୁ ସେଠାରୁ ପ୍ରାର୍ଥୀ କରାଯାଇଥିଲା।
୨୦୨୩ମସିହାରେ ଓଡ଼ିଶାର ରାଜ୍ୟପାଳ ଭାବେ ରଘୁବର ଦାଶଙ୍କୁ ନିଯୁକ୍ତି ଦେବା ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଝାଡ଼ଣ୍ଡରେ ବାବୁଲାଲ ମାରାଣ୍ଡିଙ୍କୁ ଗୁରୁତ୍ୱ ଦେଉଥିଲା । ହେଲେ ନିର୍ବାଚନରେ ପରାଜୟ ପରେ ବିଜେପି ଝାଡଖଣ୍ଡରେ ରଣନୀତି ପରିବର୍ତ୍ତନ କରିଛି ବୋଲି କୁହାଯାଉଛି । ଏବେ ରଘୁବରଙ୍କୁ ସକ୍ରିୟ ରାଜନୀତିରେ ରହିବେ ବୋଲି କୁହାଯାଉଛି । ଆଗକୁ ଝାଡଖଣ୍ଡରେ ବିଜେପି ସଭାପତି ନିର୍ବାଚନ ରହିଛି । ତେଣୁ ଏହି ସ୍ଥିତିରେ ରଘୁବରଙ୍କୁ ରାଜ୍ୟ ନେତୃତ୍ୱର କମାଣ ହାତରେ ଦେଇ ବିଜେପି ଆଗକୁ ବଢ଼ିବ ବୋଲି କୁହାଯାଉଛି ।
ରଘୁବର ଦାସ କହିଛନ୍ତି ଯେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କ ଭବିଷ୍ୟତ ଭୂମିକା ବିଷୟରେ ନିଷ୍ପତ୍ତି ନେବେ, କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ସେ ଡିସେମ୍ବର ୨୭ରେ ରାଞ୍ଚିରେ ପ୍ରାଥମିକ ସଦସ୍ୟ ଭାବରେ ଦଳରେ ଯୋଗ ଦେବେ ଏବଂ ଏହା ପରେ ତାଙ୍କୁ ଝାଡ଼ଖଣ୍ଡରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ।
କେନ୍ଦ୍ରୀୟ ନେତୃତ୍ୱ ଝାଡ଼ଖଣ୍ଡ ବିଜେପିର ସଭାପତି ଭାବରେ ରଘୁବରଙ୍କ ସାଂଗଠନିକ ଦକ୍ଷତାକୁ ବ୍ୟବହାର କରିପାରନ୍ତି ବୋଲି ଅନୁମାନ କରାଯାଉଛି । ପ୍ରଥମ ଥର ପାଇଁ ଜାମସେଦପୁର ଇଷ୍ଟରୁ ବିଧାୟକ ହୋଇଥିବା ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ମଧ୍ୟ ଶ୍ୱଶୁରଙ୍କୁ ରାଜନୀତିକୁ ଫେରାଇ ଆଣିବା ପାଇଁ ଏହି ଆସନ ଛାଡ଼ିବେ ବୋଲି କହିଛନ୍ତି।