ଚାଲିଗଲେ କଟକର ପ୍ରିୟ ଦହିବରା ବେପାରୀ ରଘୁ ମଉସା!

କଟକ: କଟକରେ ଦହିବରା-ଆଳୁଦମର ସ୍ୱାଦକୁ ଘରେ ଘରେ ପହଞ୍ଚାଇଥିବା ପ୍ରସିଦ୍ଧ ବ୍ୟବସାୟୀ ରଘୁନାଥ ସାସମଲ, ଯିଏ ‘ରଘୁ ମଉସା’ ନାମରେ ସୁପରିଚିତ, ୯୧ ବର୍ଷ ବୟସରେ ଶନିବାର ସକାଳେ ପରଲୋକ ଗମନ କରିଛନ୍ତି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ କଟକ ବିଡ଼ାନାସୀ ଗୋପାଳସାହି ସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗ ଖବର କଟକ ତଥା ସାରା ଓଡ଼ିଶାର ଖାଦ୍ୟପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଛି।

ରଘୁ ମଉସା ୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଦହିବରା-ଆଳୁଦମ ବ୍ୟବସାୟ ଆରମ୍ଭ କରିଥିଲେ। ବିଡ଼ାନାସୀ ଛକରେ ଏକ ଟ୍ରଲିରେ ସେ ପ୍ରତିଦିନ ସନ୍ଧ୍ୟା ୫:୩୦ରେ ନିଜ ଦୋକାନ ଖୋଲୁଥିଲେ। ତାଙ୍କ ଆସିବା ପୂର୍ବରୁ ହିଁ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗିଯାଉଥିଲା। କଞ୍ଚା ଶାଳପତ୍ର ଠୁଙ୍ଗାରେ ପରସା ଯାଉଥିବା ତାଙ୍କ ଦହିବରା, ଆଳୁଦମ, ଘୁଗୁନି, ଛଣା ସେଉ ଓ କଟା ପିଆଜ ସହିତ ଏକ ଅନନ୍ୟ ସ୍ୱାଦ ଦେଉଥିଲା, ଯାହା ଖାଉଟିଆଙ୍କ ମନ ଓ ପେଟ ଦୁହିଁକୁ ଶାନ୍ତି ଦେଉଥିଲା।

ରଘୁ ମଉସାଙ୍କ ଦହିବରା କେବଳ କଟକରେ ନୁହେଁ, ସମଗ୍ର ଓଡ଼ିଶା ଓ ଏପରିକି ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲା। ୨୦୧୭ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଓଡ଼ିଶା ପର୍ବ’ରେ ସେ ନିଜର ଦହିବରାର ସ୍ୱାଦ ସାରା ଭାରତକୁ ଚଖାଇଥିଲେ। ତାଙ୍କ ହାତରେ ପ୍ରସ୍ତୁତ ଦହି ଓ ମସଲାଯୁକ୍ତ ଆଳୁଦମ ତାଙ୍କ ବ୍ୟବସାୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ବୟସ ବଢ଼ିବା ସହ ରଘୁ ମଉସା ନିଜେ ଦୋକାନକୁ ଆସିପାରୁ ନଥିଲେ। ତାଙ୍କ ପୁଅ ଏବେ ଏହି ବ୍ୟବସାୟକୁ ଆଗେଇ ନେଉଛନ୍ତି। ତଥାପି, ରଘୁ ମଉସାଙ୍କ ସ୍ମୃତି ଓ ତାଙ୍କ ହାତର ସ୍ୱାଦ କଟକିଆଙ୍କ ମନରେ ଚିରସ୍ଥାୟୀ ହୋଇ ରହିଛି। ସୋସିଆଲ ମିଡ଼ିଆରେ ଅନେକେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, “ରଘୁ ମଉସା କେବଳ ଜଣେ ବ୍ୟବସାୟୀ ନଥିଲେ, ସେ ଥିଲେ କଟକର ଏକ ଐତିହ୍ୟ।”

Leave a Reply

Your email address will not be published. Required fields are marked *