ପୁରୀରେ ଜାନୁଆରି ୨୦ରୁ ଧାଡ଼ି ଦର୍ଶନ, ୧୦୦ ଟଙ୍କାରେ ମିଳିବ ମହାପ୍ରସାଦ!

ପୁରୀ: ଜଗନ୍ନାଥ ମନ୍ଦିରରେ ଧାଡି ଦର୍ଶନର ନୂଆ ବ୍ୟବସ୍ଥାର ପରୀକ୍ଷା ମୂଳକ ଭାବେ ଜାନୁଆରି ୨୦ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ପୃଥକ ଧାଡ଼ି ବ୍ୟବସ୍ଥା ଲାଗୁ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ଦେବାଦେବୀଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂଆ ବ୍ୟବସ୍ଥା ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କୌଣସି ଭକ୍ତ ଯେପରି ଦେବାଦେବୀଙ୍କ ଦର୍ଶନରୁ ବଞ୍ଚିତ ନ ହୁଅନ୍ତି ତାହା ଆମର ଲକ୍ଷ୍ୟ। ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ଶ୍ରୀଜଗନ୍ନାଥଙ୍କ ଉପଯୁକ୍ତ ଦର୍ଶନ କରିବାର ସୁଯୋଗ ପାଇବେ ତାହା ସୁନିଶ୍ଚିତ କରିବୁ ବୋଲି ଆଇନମନ୍ତ୍ରୀ କହିଛନ୍ତି।
ଏବେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇ ଦର୍ଶନ ନକରି ନିରାଶ ହୋଇ ଘରକୁ ଫେରୁଛନ୍ତି। ଅନେକ ସମୟରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥାଏ, ଯାହା ଭବିଷ୍ୟତରେ ଘଟିବ ନାହିଁ ବୋଲି ଆଇନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦର୍ଶନ ବ୍ୟବସ୍ଥା ବ୍ୟତୀତ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପାଖାପାଖି ୧୦୦ ଟଙ୍କା ବ୍ୟୟରେ ମହାପ୍ରସାଦ ଯୋଗାଇ ଦେବାକୁ ମଧ୍ୟ ଯୋଜନା କରାଯାଉଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ମରାମତି କାର୍ଯ୍ୟ ଶେଷ ହେବା ପରେ ଦେବାଦେବୀଙ୍କ ଅଳଙ୍କାର (ଗଣତି ମାନତି)ର ମୂଲ୍ୟାଙ୍କନ କରାଯିବ।
ଶ୍ରଦ୍ଧାଳୁମାନଙ୍କୁ ଉପଯୁକ୍ତ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରାଇବା ନେଇ ମଧ୍ୟ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ନୂଆ ନିୟମ ଲାଗୁ କରାଯିବ ବୋଲି ସେ କହିଛନ୍ତି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଦର୍ଶନ ପରେ ମହାପ୍ରସାଦ ଗ୍ରହଣ କରିପାରିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି।