ଚାକିରି ଆଶାରେ ଡିଗ୍ରୀ ଧରି ଘରେ ବସିଛନ୍ତି ଲକ୍ଷେ ଯୁବପିଢି
ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷିତ ଯୁବକ-ଯୁବତୀଙ୍କ ମଧ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଇଞ୍ଜିନିୟରିଂ, ମେଡିକାଲ, ଆଇନ, କୃଷି ଓ ପ୍ରାଣୀ ଚିକିତ୍ସା ଭଳି ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସ୍ନାତକୋତ୍ତର (ପିଜି) ଡିଗ୍ରି ହାସଲ କରିଥିବା ହଜାର ହଜାର ଯୁବକ-ଯୁବତୀ ଚାକିରି ଅପେକ୍ଷାରେ ଅଛନ୍ତି। ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ କରିଥିବା ପ୍ରାୟ ୧୨ ଲକ୍ଷ ଯୁବକ-ଯୁବତୀ ନିଯୁକ୍ତିର ଅପେକ୍ଷାରେ ରହିଛନ୍ତି, କିନ୍ତୁ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ସ୍ପଷ୍ଟ ତଥ୍ୟ ନାହିଁ।
୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜଗୁଡ଼ିକରେ ୧୧,୯୭,୪୯୭ ଜଣ ଚାକିରି ପାଇଁ ପଞ୍ଜୀକରଣ କରିଛନ୍ତି, ଯେଉଁଥିରେ ୭,୬୯,୧୯୪ ଜଣ ଯୁବକ ଓ ୪,୨୮,୩୦୩ ଜଣ ଯୁବତୀ ରହିଛନ୍ତି। ଏଥିରେ ଏସ୍ସି ଓ ଏସ୍ଟି ବର୍ଗରୁ ୧,୫୪,୭୯୬ ଜଣ ପଞ୍ଜୀକରଣ କରିଛନ୍ତି। ସେହିପରି, ଇଞ୍ଜିନିୟରିଂରେ ପିଜି ଡିଗ୍ରି ହାସଲ କରିଥିବା ୭,୮୭୭ ଜଣ ଏବଂ ସ୍ନାତକ (ୟୁଜି) ଡିଗ୍ରିଧାରୀ ୩,୧୭,୬୩୩ ଜଣ ମଧ୍ୟ ଚାକିରି ଅପେକ୍ଷାରେ ଅଛନ୍ତି। ଏମ୍ବିଏ, ଏମ୍ସିଏ, ବିଏଡ୍, ଏମ୍ଏଡ୍ ଭଳି ପାଠ୍ୟକ୍ରମରେ ଶିକ୍ଷା ସାରିଥିବା ଛାତ୍ରଛାତ୍ରୀଙ୍କ ସ୍ଥିତି ମଧ୍ୟ ସମାନ।
ରାଜ୍ୟ ସରକାର ଆତ୍ମନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମଧ୍ୟ, ଏହା ପ୍ରତ୍ୟାଶା ଅନୁଯାୟୀ ଫଳପ୍ରଦ ହେଉନାହିଁ। ୨୦୨୩-୨୪ରେ ‘ନୂଆ ଓଡ଼ିଶା’ ନାମକ କାର୍ଯ୍ୟକ୍ରମ ମାଧ୍ୟମରେ ବେସରକାରୀ ସଂସ୍ଥାଙ୍କ ସହଭାଗୀତାରେ ଯୁବକ-ଯୁବତୀଙ୍କୁ ପ୍ରଯୁକ୍ତିବିଦ୍ୟା ଟ୍ରେଡ୍ରେ ତାଲିମ ଦିଆଯାଉଛି। ନିଯୁକ୍ତି ମେଳା, ବ୍ଲକ ସ୍ତରୀୟ କାଉନସେଲିଂ ଓ ଜବ୍ ଡ୍ରାଇଭ୍ ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ତଥାପି, ପଞ୍ଜୀକରଣ କରିଥିବା ଯୁବକ-ଯୁବତୀଙ୍କ ନିଯୁକ୍ତି ସ୍ଥିତି ଅନୁସରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କହିଛି ଯେ, ପଞ୍ଜୀକରଣ କରିଥିବା ପ୍ରାର୍ଥୀମାନେ ‘ଜୀବନ୍ତ ପଞ୍ଜିକା’ରେ ରହିଛନ୍ତି, କିନ୍ତୁ ସେମାନେ ନିଯୁକ୍ତି ପାଇଛନ୍ତି କି ନାହିଁ, ତାହା ଅନୁସରଣ କରାଯାଉ ନାହିଁ। ଏହି ସ୍ଥିତି ରାଜ୍ୟରେ ବେକାରୀ ସମସ୍ୟାର ଗମ୍ଭୀରତାକୁ ସୂଚାଉଛି।
