ଝାରସୁଗୁଡ଼ାରେ ସାର କଳାବଜାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ବିଭାଗୀୟ ଟିମ୍‌ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉ ସମୟରେ ଏହି ବେଆଇନ କାରବାରକୁ ଧରାଯାଇ ପ୍ରାୟ ୨୬ ବ୍ୟାଗ ୟୁରିଆ ସାର ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ଦାଏର ହୋଇଛି।

ସ୍ଥାନୀୟ କୃଷକମାନଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଏବଂ ଫର୍ଟିଲାଇଜ଼ର ଇନ୍ସପେକ୍ଟରଙ୍କ ସମେତ ଏକ ଟିମ୍‌ କିର୍ମିରା ପାକ୍ସରେ ଚଢ଼ାଉ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ପାକ୍ସର ସମ୍ପାଦକ ଏହି ବେଆଇନ କାରବାରରେ ଲିପ୍ତ ଥିଲେ। ସେ ୨୬ ବ୍ୟାଗ ୟୁରିଆ ସାର ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଧରାପଡ଼ିଛି। ତହସିଲଦାରଙ୍କ ଉପସ୍ଥିତିରେ ସମ୍ପାଦକଙ୍କ ବିରୋଧରେ ପୋଲିସରେ ଏକ ଏତଲା ଦାଖଲ କରାଯାଇଛି।

ସୂଚନାଯୋଗ୍ୟ, ସାରା ରାଜ୍ୟରେ କଳାବଜାରୀ ବିରୋଧରେ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିଛି। ସରକାର ଏହି ଅପରାଧକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। କୃଷି ବିଭାଗ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ସାର ଯୋଗାଇ ଦେବାକୁ ପୂର୍ଣ୍ଣ ସଂକଳ୍ପବଦ୍ଧ।

Leave a Reply

Your email address will not be published. Required fields are marked *