ପୁଣି ପରଦାକୁ ଫେରିବେ ପ୍ରିୟଙ୍କା! ସଞ୍ଜୟ ଭଂସାଲୀଙ୍କ ଫିଲ୍ମରେ ଦେଖାଯିବେ ଦେଶୀଗର୍ଲ୍

ମୁମ୍ବାଇ: ବଲିଉଡର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଜୋନାସ୍ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି। ୬ ବର୍ଷ ପରେ ସେ ବଲିଉଡରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ୍ ୱାର୍’ରେ ନଜର ଆସିପାରନ୍ତି। ଏହି ଖବର ଶୁଣି ପ୍ରିୟଙ୍କାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ, ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଏକ ଦମଦାର ନୃତ୍ୟ ଗୀତରେ ଅଭିନୟ କରିପାରନ୍ତି।

ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ୨୦୧୯ରେ ‘ଦି ସ୍କାଏ ଇଜ୍ ପିଙ୍କ୍’ ଚଳଚ୍ଚିତ୍ରରେ ଦେଖାଯାଇଥିଲା। ୨୦୧୫ରେ ଆମେରିକା ଯିବା ପରେ ସେ କେବଳ ଦୁଇଟି ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏବେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ପୁଣି ଥରେ କାମ କରିବାର ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ପ୍ରିୟଙ୍କା ଭଂସାଲୀଙ୍କ ‘ଗୋଲିୟୋଂ କି ରାସଲୀଲା ରାମ-ଲୀଲା’ରେ ‘ରାମ ଚାହେ ଲୀଲା’ ଗୀତରେ ନୃତ୍ୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଏହି ଗୀତଟି ବ୍ଲକବଷ୍ଟର ହୋଇଥିଲା ଓ ଆଜି ମଧ୍ୟ ଲୋକଙ୍କ ମନରେ ରହିଛି।

‘ଲଭ୍ ଆଣ୍ଡ୍ ୱାର୍’ ଏକ ଐତିହାସିକ ଯୁଦ୍ଧ ନାଟକ, ଯେଉଁଥିରେ ରଣବୀର କପୁର, ଆଲିଆ ଭଟ୍ଟ ଓ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ର ବଡ଼ ଧରଣରେ ନିର୍ମାଣ ହେଉଛି ଓ ୨୦୨୬ ମାର୍ଚ୍ଚ ୨୦ରେ ମୁକ୍ତିଲାଭ କରିବ। ଭଂସାଲୀ ରଣବୀର ଓ ଭିକିଙ୍କ ମଧ୍ୟରେ ଏକ ବଡ଼ ଦୃଶ୍ୟ ଚିତ୍ରଣ ପାଇଁ ପ୍ରସ୍ତୁତି କରୁଛନ୍ତି, ଯାହା ଭାରତୀୟ ସିନେମାରେ ଏକ ଐତିହାସିକ ମୁହୂର୍ତ୍ତ ହେବ ବୋଲି କୁହାଯାଉଛି।

ତେବେ, ପ୍ରିୟଙ୍କାଙ୍କ ଏହି ଚଳଚ୍ଚିତ୍ରରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। କିନ୍ତୁ ତାଙ୍କର ଏକ ସମ୍ପ୍ରତି ଇନ୍‌ଷ୍ଟାଗ୍ରାମ ପୋଷ୍ଟ, ଯେଉଁଥିରେ ସେ ‘ରାମ ଚାହେ ଲୀଲା’ ଗୀତର ସ୍ମୃତି ସେୟାର କରିଥିଲେ, ତାହା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ପ୍ରଶଂସକମାନେ ଏହାକୁ ତାଙ୍କ ବଲିଉଡ ଫେରିବାର ଇଙ୍ଗିତ ବୋଲି ମନେ କରୁଛନ୍ତି।

ଏହା ବ୍ୟତୀତ, ପ୍ରିୟଙ୍କା ଏସ୍‌ଏସ୍‌ ରାଜାମୌଲିଙ୍କ ଏକ ବଡ଼ ଭାରତୀୟ ଚଳଚ୍ଚିତ୍ର ‘ଏସ୍‌ଏସ୍‌ଏମ୍‌ବି ୨୯’ରେ ମଧ୍ୟ କାମ କରୁଛନ୍ତି, ଯେଉଁଥିରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନ ମଧ୍ୟ ଅଛନ୍ତି। ଏହି ଚଳଚ୍ଚିତ୍ର ୨୦୨୭ରେ ମୁକ୍ତିଲାଭ କରିବ ବୋଲି ଅନୁମାନ କରାଯାଉଛି|

Leave a Reply

Your email address will not be published. Required fields are marked *