ଅପରେସନ ମହାଦେବକୁ ନେଇ ପ୍ରଶ୍ନ ଉଠାଇଲେ ଅଖିଳେଶ, ସଫା ସଫା ଶୁଣାଇଦେଲେ ମୋଦୀ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ମଙ୍ଗଳବାର ଲୋକସଭାରେ ‘ଅପରେସନ୍ ମହାଦେବ’ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭାରେ ଅଖିଳେଶ ଯାଦବ ପହଲଗାମ ଆତଙ୍କବାଦୀଙ୍କ ଏନକାଉଣ୍ଟର ସମୟକୁ ନେଇ ସରକାରକୁ ଘେରିଛନ୍ତି। ଅଖିଳେଶ କହିଛନ୍ତି, କେବଳ ସୋମବାର କାହିଁକି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଗଲା। ସାମରିକ କାର୍ଯ୍ୟାନୁଷ୍ଠାନରୁ ବିଜେପି ରାଜନୈତିକ ଫାଇଦା ନେବାପାଇଁ ଉଦ୍ୟମ କରୁଛି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି।
ଅଖିଳେଶ କହିଛନ୍ତି, ‘କାହିଁକି ମୁଁ ଆପଣଙ୍କୁ ଅପରେସନ୍ ମହାଦେବକୁ ନେଇ ଶୁଭେଚ୍ଛା ଜଣାଇପାରିବିନି। ସମସ୍ତ ରାଜନୈତିକ ଦଳ ଠିକ୍ ସମୟରେ ସରକାରଙ୍କୁ ସମର୍ଥନ କରିଛନ୍ତି। ତେବେ ସବୁ ପରେ ଏନକାଉଣ୍ଟର କାଲି(ସୋମବାର) କାହିଁକି କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଅଖିଳେଶ ଓ ଅନ୍ୟ ବିରୋଧୀ ଦଳଙ୍କ ଏଭଳି ପ୍ରଶ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କ ଏଭଳି ପ୍ରଶ୍ନ ଆମକୁ ବିସ୍ମିତ କରୁଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ବେଳ ତିଥି ଦେଖାଯାଏନା। ତା’ହେଲେ ଆମକୁ କ’ଣ ଅପରେସନ ପାଇଁ ଶ୍ରାବଣରେ ସୋମବାର ଖୋଜିବାକୁ ପଡ଼ିଥାନ୍ତା କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।
