ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କଲେ ଦୁବୃର୍ତ୍ତ

ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ । ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଲୁଟ ଉଦ୍ୟମ ସମୟରେ ଗର୍ଭବତୀ ମହିଳା ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁଇ ଲୁଟେରା ଛାତିକୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ସ୍ତ୍ରୀ ସୌମ୍ୟାମୟୀ ବେହେରା ।

ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ଘରେ ଦୁଇ ଲୁଟେରା କବାଟ ବାଡେଇ ଡାକିଥିଲେ। ଚିହ୍ନା ପରିଚିତ କେହି ହୋଇଥିବେ ଭାବି ଦେବେନ ବେହେରାଙ୍କ ଗର୍ଭବତୀ ସ୍ତ୍ରୀ ସୌମ୍ୟାମୟୀ ବେହେରା କବାଟ ଖୋଲିଥିଲେ ।କବାଟ ଖୋଲିବା ମାତ୍ରେ ମହିଳାଙ୍କ ବେକରୁ ସୁନା ଚେନ ହଟାତ୍ ଟାଣି ନେଇଥିଲେ ଦୁଇ ଦୁର୍ବୃତ୍ତ । ସୌମ୍ୟାମୟୀ ଚିତ୍କାର କରିବାରୁ ଧରାପଡ଼ିଯିବା ଭୟରେ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲେ ଦୁଇ ଦୁର୍ବୃତ୍ତ ।

ଗୁଳି ଶବ୍ଦ ଶୁଣି ଦେବେନ ଦୌଡ଼ି ଆସିବାରୁ ଦୁଇ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମହିଳାଙ୍କ ବାମ ପାର୍ଶ୍ୱ ଛାତି ଉପରେ ଗୁଳି ମାଡ଼ ହୋଇଥିବାରୁ ରକ୍ତସ୍ରାବ ହେଉଥିବା ଦେଖି ତୁରନ୍ତ ପରିବାର ଲୋକ ତାଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ।ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟିକାୟତପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ମୃତ ମହିଳା ଜଣଙ୍କ ସାତ ମାସର ଗର୍ଭବତୀ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *