ଜେଲରୁ ବାହାରିଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର

ପାଟନା: ବିହାର ଲୋକସେବା ଆୟୋଗ (ବିପିଏସସି) ପରୀକ୍ଷା ବାତିଲ ଦାବିରେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସୋମବାର ସକାଳେ ବିହାର ପୁଲିସ ଗିରଫ କରିଥିଲା। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। କିନ୍ତୁ ସେ ସର୍ତ୍ତମୂଳକ ଜାମିନ ନେବାକୁ ମନା କରିଦେଇଥିଲେ। ଏହାପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ଏବେ ତାଙ୍କୁ ନିଃସର୍ତ୍ତ ଜାମିନ ମିଳିଛି। ପ୍ରଶାନ୍ତ କିଶୋରଙ୍କୁ ବେଉର ଜେଲରୁ ମୁକ୍ତ କରାଯାଇଛି ।

ପ୍ରଶାନ୍ତ କିଶୋର ପାଟନାର ଗାନ୍ଧୀ ମୈଦାନରେ ଆମରଣ ଅନଶନରେ ବସିଥିଲେ। ବିପିଏସସି ପରୀକ୍ଷା ବାତିଲ କରିବାକୁ ସେମାନେ ଦାବି କରିଛନ୍ତି। ସୋମବାର ପୁଲିସ ତାଙ୍କୁ ଗିରଫ କରିଥିଲା। ପ୍ରଶାନ୍ତ କିଶୋର ଓ ତାଙ୍କ ସମର୍ଥକଙ୍କୁ ପୁଲିସ ଆନ୍ଦୋଳନସ୍ଥଳରୁ ହଟାଇ ଦେଇଥିଲା। ପ୍ରଶାନ୍ତ ନିଷିଦ୍ଧ ଅଞ୍ଚଳ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେମାନଙ୍କ ପ୍ରତିବାଦ ବେଆଇନ ଥିଲା।

ଗିରଫ ପରେ କିଶୋରଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଥିଲା। ଏହା ଉପରେ ତାଙ୍କ ଓକିଲ କହିଛନ୍ତି, ପ୍ରଶାନ୍ତ ସର୍ତ୍ତମୂଳକ ଜାମିନ ଚାହୁଁନାହାନ୍ତି। ଏସଡିଜେଏମ୍ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏଣିକି ଆମେ ଏଭଳି କୌଣସି କାମ କରିବୁ ନାହିଁ, ଯେଉଁକାରଣରୁ ସାଧାରଣ ଲୋକଙ୍କୁ ପୁଣି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ କହିଛନ୍ତି, ଗାନ୍ଧୀ ମଇଦାନରେ ଧାରଣାରେ ବସିଥିବା ପ୍ରଶାନ୍ତ କିଶୋର ଓ ତାଙ୍କ ସମର୍ଥକଙ୍କୁ ସୋମବାର ସକାଳେ ପୁଲିସ ଗିରଫ କରିଛି। ସେମାନଙ୍କ ପ୍ରତିବାଦ ବେଆଇନ ଥିଲା। କର୍ତ୍ତୃପକ୍ଷଙ୍କ ଅନୁରୋଧ ସତ୍ତ୍ୱେ ସେ ଯାଇନଥିଲେ।

ମାରପିଟ୍ ଅଭିଯୋଗ ଉପରେ ଡିଏମ୍ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ସୁରକ୍ଷାକର୍ମୀମାନେ ମାଡ଼ ମାରିନଥିଲେ। ତାଙ୍କ ୪୩ ଜଣ ସମର୍ଥକଙ୍କୁ ଅଟକ ରଖାଯାଇଛି। ୩ଟି ଟ୍ରାକ୍ଟର ସମେତ ୧୫ଟି ଗାଡ଼ି ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *