କଣାସରେ ଝାଡାବାନ୍ତି ଆକ୍ରନ୍ତ, ଠିକ୍ ସମୟରେ ପଦକ୍ଷେପ ନିଆଯାଇନି କହିଲେ ବିରୋଧୀ

ପୁରୀ: ଜିଲ୍ଲାର କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରେ ଅନେକଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୭ରୁ ୮ ଦିନ ହେବ ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲେ ହେଁ ଏବେ କେବଳ ଜଣେ ପ୍ରାଣ ହରାଇଥିବା ଜଣାପଡ଼ିଥିବା ବେଳେ ଅନ୍ୟ ମୃତକଙ୍କ ସମ୍ପର୍କରେ ତଦନ୍ତ ବାକି ରହିଛି।
ଏହି ମହାମାରୀ ଗାଁର ଏକ ସାମୂହିକ ଭୋଜିରୁ ଆରମ୍ଭ ହୋଇ ଏବେ ପାଖାପାଖି ୫ଟି ଅତିରିକ୍ତ ଗାଁକୁ ବ୍ୟାପିଥିବା ଜଣାପଡିଛି । ବର୍ତମାନ ୭୧ ଜଣ ଏହି ରୋଗରେ ପୀଡ଼ିତ ଥିବା ଜଣାପଡିଛି । ପାଣିର ଗୁଣବତ୍ତା ଯାଞ୍ଚରୁ ଦୟା ନଦୀରେ ପ୍ରଦୂଷଣ ହୋଇଥିବା ଜଣାପଡିଥିବା ବେଳେ ନମୁନାରେ ଇ.କୋଲି ବ୍ୟାକ୍ଟେରିଆ ପଜିଟିଭ୍ ଚିହ୍ନଟ ହୋଇଛି।
ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ୨ଟି ସମେତ ୮ଟି ସ୍ୱାସ୍ଥ୍ୟ ଟିମ୍ ପ୍ରଭାବିତ ଅଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଜଳକୁ ବିଶୁଦ୍ଧ କରିବା ପାଇଁ କର୍ତ୍ତୃପକ୍ଷ ନଦୀର ଘାଟରେ ସୁପର କ୍ଲୋରିନେସନ୍ କୌଶଳ ପ୍ରୟୋଗ କରୁଛନ୍ତି।
ଏହାବ୍ୟତୀତ ପ୍ରଭାବିତ ଅଞ୍ଚଳରେ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ପାଣି ନମୁନାରୁ ଇ.କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି। ଏହି ଅଂଚଳର ୫ଟି ଗାଁର ୭୧ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଆମ ସ୍ୱାସ୍ଥ୍ୟ ଟିମ୍ ସତର୍କ ରହିବା ସହ ଏହି ରୋଗକୁ ରୋକିବା ପାଇଁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
ସେପଟେ ରାଜ୍ୟରେ ଝାଡ଼ାବାନ୍ତିକୁ ନେଇ ରାଜନୈତିକ ବୟାନବାଜି ପ୍ରକାଶ ପାଇଥିବା ବେଳେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା କରିଛି।
ଠିକ୍ ସମୟରେ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ମନ୍ତ୍ରୀଙ୍କୁ ନିୟୋଜିତ କରାଯାଉନଥିବାରୁ ସରକାର ଅବହେଳା କରୁଛନ୍ତି ବୋଲି ପୂର୍ବତନ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଅଭିଯୋଗ କରିଛନ୍ତି।
ପ୍ରାୟ ୧୦ ଦିନ ପରେ ମଧ୍ୟ ଜନପ୍ରତିନିଧିମାନେ ସେଠାକୁ ଆସିନଥିଲେ। ଦୀର୍ଘ ସମୟ ପରେ ସେମାନେ ସେଠାରେ ପହଞ୍ଚିବା ପରେ ଗ୍ରାମବାସୀ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ବିଷୟରେ ପଚରାଉଚରା କରିଥିଲେ। ଉକ୍ତ ଅଞ୍ଚଳରେ ଉପଯୁକ୍ତ ଆମ୍ବୁଲାନ୍ସ ସୁବିଧା ନ ଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ସେହି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର ମାନବିକତା ମଧ୍ୟ ନାହିଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।
ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଆରମ୍ଭରୁ ସତର୍କ ରହିଛି ଏବଂ ଟିମ୍ ଉପଯୁକ୍ତ ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।
ଖବର ପାଇ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପ୍ରଭାବିତ ଅଂଚଳରେ ଆବଶ୍ୟକ ଚିକିତ୍ସା, ଔଷଧ ଯୋଗାଇଦେବା ସହ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ଆମେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛୁ । ଆଗକୁ ଝାଡ଼ାବାନ୍ତି କୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି । ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି ବୋଲି ମହାଲିଙ୍ଗ କହିଛନ୍ତି।