ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଉତ୍କର୍ଷ ଓଡ଼ିଶା ୨୦୨୫ ସମ୍ମିଳନୀକୁ (ମେକ୍ ଇନ୍ ଓଡ଼ିଶା କନକ୍ଲେଭ) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୨୫ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ପାଇଁ ଜାନୁଆରୀ ୯ ତାରିଖରେ ସେ ଭୁବନେଶ୍ୱର ଆସିଲେ । ଆଉ ଏବେ ଆଉ ଥରେ ଆସୁଛନ୍ତି । ଯାହାକି ମାସକ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ ଜାନୁଆରୀ ୨୮ ତାରିଖ ସକାଳ ୧୦ଟା ୩୫ରେ ସେ ଦିଲ୍ଲୀରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସକାଳ ୧୦ଟା ୪୦ରେ ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ପାଇଁ ବାହାରି ୧୦ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ।

ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ଏବଂ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ କନ୍ କ୍ଲେଭରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଏହାପରେ ତାଙ୍କ ଗାଡ଼ି ପୁଣି ଥରେ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବ । ଏବଂ ଅପରାହ୍ନ ୧୨ଟା ୫୫ରେ ସେ ଉତ୍ତରାଖଣ୍ଡର ଡେରାଡୁନରେ ଅନ୍ୟ ଏକ କାର୍ଯ୍ୟକ୍ରମପାଇଁ ବାହାରିବେ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଉତ୍କର୍ଷ ଓଡ଼ିଶା (ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍) ୨୦୨୫ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିପୁଳ ଅଭିବୃଦ୍ଧି ଓ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋକପାତ କରିବା ସହ ପ୍ରମୁଖ ନିବେଶକ ଓ ବ୍ୟବସାୟୀଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯିବ।

ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମପାଇଁ ସିଙ୍ଗାପୁରକୁ ଦେଶର ପାର୍ଟନର ଭାବେ ଘୋଷଣା କରିବା ପରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗାରତ୍ନମ୍ ନିକଟରେ ଓଡ଼ିଶା ଗସ୍ତରେ ଆସିଥିଲେ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସିଙ୍ଗାପୁର କମ୍ପାନୀ ସହ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

Leave a Reply

Your email address will not be published. Required fields are marked *