ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦୩ ମିନିଟର ଐତିହାସିକ ଭାଷଣ

ନୂଆଦିଲ୍ଲୀ: ଭାରତର ୭୯ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରି ଐତିହାସିକ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆରଏସଏସ ର ପ୍ରଶଂସା କରିବା ସହିତ ଯୁବପିଢ଼ି ପାଇଁ ୧ ଲକ୍ଷ କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା’ ଆରମ୍ଭ କରିଛନ୍ତି, ଯାହା ୩.୫ କୋଟି ଯୁବକଙ୍କୁ ଚାକିରି ସୁଯୋଗ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ଆରଏସଏସର ୧୦୦ ବର୍ଷର ସମର୍ପିତ ସେବାକୁ ଗର୍ବର ସହ ସ୍ମରଣ କରିଛନ୍ତି। ସେ କହିଛନ୍ତି, “୧୦୦ ବର୍ଷ ପୂର୍ବେ ଜନ୍ମିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ର ନିର୍ମାଣ ଓ ଭାରତ ମାତାର କଲ୍ୟାଣ ପାଇଁ ସମର୍ପଣ, ଶୃଙ୍ଖଳା ଓ ସେବାର ଅତୁଳନୀୟ ଯାତ୍ରା ଜାରି ରଖିଛି। ଆରଏସଏସ ବିଶ୍ୱର ସବୁଠାରୁ ବଡ଼ ଏନଜିଓ ଭାବେ ଦେଶକୁ ପ୍ରେରଣା ଦେଇଛି।” ସେ ସମସ୍ତ ସ୍ୱେଚ୍ଛାସେବକଙ୍କୁ ସମ୍ମାନ ଜଣାଇ ଏହି ଯାତ୍ରାର ମହତ୍ତ୍ୱକୁ ଉଜାଗର କରିଛନ୍ତି।

ବେରୋଜଗାରୀ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ‘ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା’ ଘୋଷଣା କରିଛନ୍ତି। ଏହି ୧ ଲକ୍ଷ କୋଟି ଟଙ୍କାର ଯୋଜନା ଅଧୀନରେ ୩.୫ କୋଟି ଯୁବକଙ୍କୁ ନୂତନ ନିଯୁକ୍ତି ସୁଯୋଗ ମିଳିବ। ଘରୋଇ କ୍ଷେତ୍ରରେ ପ୍ରଥମ ଥର ଚାକିରି କରୁଥିବା ଯୁବକ-ଯୁବତୀଙ୍କୁ ସରକାର ୧୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ସହାୟତା ଦୁଇଟି କିସ୍ତିରେ ଦିଆଯିବ: ପ୍ରଥମ କିସ୍ତି ୬ ମାସ କାମ ପରେ ଓ ଦ୍ୱିତୀୟ କିସ୍ତି ୧୨ ମାସ କାମ ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସମାପ୍ତ ପରେ। ତେବେ, ଏହି ଲାଭ କେବଳ ମାସିକ ୧ ଲକ୍ଷ ଟଙ୍କା ମଧ୍ୟରେ ଦରମା ପାଉଥିବା ଓ ଇପିଏଫଓରେ ପଞ୍ଜିକୃତ କର୍ମଚାରୀଙ୍କୁ ମିଳିବ।

ଏହି ଯୋଜନା ଅଧୀନରେ ସରକାର ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରିବେ। କର୍ମଚାରୀ ଅତିକମରେ ୬ ମାସ ଚାକିରିରେ ରହିଲେ, ସରକାର କମ୍ପାନିଗୁଡ଼ିକୁ ପ୍ରତି କର୍ମଚାରୀଙ୍କ ପିଛା ୨ ବର୍ଷ ପାଇଁ ମାସିକ ୩,୦୦୦ ଟଙ୍କା ସହାୟତା ଦେବେ। ଏହି ଯୋଜନା ଉତ୍ପାଦନ, ସେବା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସମେତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ନିଯୁକ୍ତି ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ‘ବିକାଶିତ ଭାରତ’ର ସଂକଳ୍ପକୁ ପୁନର୍ବାର ଦୋହରାଇଛନ୍ତି। ସେ କହିଛନ୍ତି, “ଏହି ଯୋଜନା ଯୁବପିଢ଼ିଙ୍କୁ ସଶକ୍ତ କରିବ ଓ ଦେଶରେ ନୂତନ ନିଯୁକ୍ତି ସୃଷ୍ଟି କରି ଅର୍ଥନୀତିକୁ ମଜବୁତ କରିବ।” ଆରଏସଏସର ସେବା ଓ ସମର୍ପଣକୁ ପ୍ରଶଂସା କରି ସେ ଏହାକୁ ରାଷ୍ଟ୍ର ନିର୍ମାଣରେ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *