ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଯୋଜନା: ଆକ୍ରମଣକାରୀଙ୍କ ଖୁଲାସା
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା କରିବା ପାଇଁ ଏକ ଭୟଙ୍କର ଯୋଜନାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ଭାଇ ଖିମଜୀକୁ ଗିରଫ କରାଯାଇଥିବା ବେଳେ ସେ ପୁଲିସ ଅଧିକାରୀଙ୍କ ଆଗରେ ନିଜର ଅପରାଧ ସ୍ୱୀକାର କରିଛି। ଗତ ୨୦ ତାରିଖରେ ରେଖା ଗୁପ୍ତା ତାଙ୍କ ସରକାରୀ ବାସଭବନରେ ଜନଶୁଣାଣି କରୁଥିବା ବେଳେ ରାଜେଶ ଖିମଜୀ ତାଙ୍କୁ ଛୁରିରେ ଆକ୍ରମଣ କରିବାକୁ ଯୋଜନା କରିଥିଲା।
ରାଜେଶ ଖିମଜୀ ପୁଲିସକୁ କହିଛି ଯେ, ସେ ଏକ ଛୁରି ସହ ଜନଶୁଣାଣି ସ୍ଥଳକୁ ଯାଇଥିଲା। କିନ୍ତୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଦେଖି ସେ ଛୁରିଟିକୁ ବାହାରେ ଫିଙ୍ଗି ଦେଇଥିଲା। ଘଟଣା ପରେ ପୁଲିସ ରାଜେଶକୁ ଗିରଫ କରି କୋର୍ଟରେ ହାଜର କରିଥିଲା ଏବଂ ବର୍ତ୍ତମାନ ତାକୁ ରିମାଣ୍ଡରେ ନେଇ ଜେରା କରୁଛି।
ଏହି ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତ ତହସିନ ସୟଦକୁ ଗୁଜରାଟର ରାଜକୋଟରୁ ଗିରଫ କରି ଦିଲ୍ଲୀ ଆଣିଛି। ତହସିନ ସୟଦ ରାଜେଶ ଖିମଜୀକୁ ଟଙ୍କା ପଠାଇ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଅଭିଯୋଗ ହୋଇଛି। ପୁଲିସ ବର୍ତ୍ତମାନ ରାଜେଶ ଖିମଜୀ ଓ ତହସିନ ସୟଦକୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି, ଯାହା ଏହି ଘଟଣା ପଛରେ ଥିବା ଅନ୍ୟ ରହସ୍ୟ ଉପରୁ ପର୍ଦ୍ଦା ଉଠାଇପାରେ।
ଏହି ଘଟଣା ଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପୁଲିସ ଓ ପ୍ରଶାସନ ଆହୁରି କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରୁଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।
