୮ମାସ ଧରି ଯୋଗ୍ୟ ହିତାଧିକାରୀ ରାସନ ସେବାରୁ ବଞ୍ଚିତ :ପ୍ରଶାସନ ଚୁପ୍!
ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍ର କିଆଝର ପଞ୍ଚାୟତରେ ହିତାଧିକାରୀଙ୍କଠାରୁ ରାସନ କାର୍ଡ ଦେଇ ପ୍ରଶାସନ ଫେରାଇନେଇଥିବା ଘଟଣାକୁ ୮ ମାସ ବିତିଗଲା ବେଳେ ମଧ୍ୟ କାର୍ଡ ପୁନଃ ପ୍ରଦାନ ହୋଇନାହିଁ। ଏଥିପାଇଁ ଅନେକ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ଦୁଃଖଭୋଗ କରୁଛନ୍ତି।
ଗତବର୍ଷ ରାସନ କାର୍ଡ ପାଇଁ ପଞ୍ଚାୟତ ଅଧୀନ ଗ୍ରାମରୁ ଆବେଦନ ସଂଗ୍ରହ ହେଉଥିଲା। ପିଇଓଙ୍କ ମାଧ୍ୟମରେ ୧୪୧ ଜଣଙ୍କ ଆଧାର ସହିତ ଅନ୍ୟ ଦଲିଲ ପ୍ରଶାସନ ନିଆଯାଇଥିଲା । କିନ୍ତୁ ୩୮ ଜଣଙ୍କ ନାମରେ ଚୁପଚାପ ଭାବରେ କାର୍ଡ ଜାରି ହୋଇ ଦଲାଲ ମାନେ ଲୋକଙ୍କଠାରୁ ଅର୍ଥ ଆଦାୟ କରିଥିଲେ। ଏଥିପାଇଁ ସ୍ଥାନୀୟ ସରପଞ୍ଚଙ୍କ ଅନୁମତି ବିନା ଘଟିଥିବା ଅଭିଯୋଗ ମିଳିଛି।ଏହା ପରେ ଗତ ନଭେମ୍ବର ମାସରେ ତିନି ମାସ ପାଇଁ ରାସନ ବଣ୍ଟନ ହେବା ସତ୍ତ୍ୱେ, ତତ୍କାଳ ପରେ ନ ଜଣ ହିତାଧିକାରୀଙ୍କ ରାସନ କାର୍ଡ ବିନା ସୂଚନାରେ ବାଦ୍ ଦିଆଯାଇଥିଲା। ଯେଉଁ ମାନଦଣ୍ଡରେ ଏହା ଘଟିଲା, କାହା ପ୍ରତି ଅଭିଯୋଗ ଅଛି – ସେ ସବୁ ନେଇ ପ୍ରଶ୍ନ ଉଠିଛି।
କୋଦୁଆଁପଲ୍ଲୀ, ମଙ୍ଗରାଜପୁର, ଅନ୍ୟ ଗ୍ରାମର ଭାସ୍କର ସାହୁ, ହରପ୍ରିୟା ସାହୁ, ଅଲେଖା ସାହୁ, ରଞ୍ଜୁଲତା ମାହାଳିକ, ଭରତ ମହାନ୍ତି, ହୃଷୀକେଶ ସ୍ୱାଇଁ ପ୍ରମୁଖ ହିତାଧିକାରୀ ରାସନ କାର୍ଡ ରହିବା ସତ୍ତ୍ୱେ ବଞ୍ଚିତ ହୋଇଛନ୍ତି। ଭରତ ମହାନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ମଧ୍ୟ କାର୍ଡ ଦେଇ ପୁନଃ ଫେରାଇ ନିଆଯାଇଛି – ଯାହା ଅତ୍ୟନ୍ତ ଦୁଃଖଦ।
ଭାରତୀୟ ବିକାଶ ପରିଷଦର ଉପସଭାପତି ନିରଞ୍ଜନ ଦାସ ଏହି ଘଟଣା ପାଇଁ ପୂର୍ବ ଯୋଗାଣ ନିରୀକ୍ଷକ ସୁବାସ ବିଶ୍ୱାଳଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଅଯୋଗ୍ୟଙ୍କୁ ଯୋଜନାରେ ସାମିଲ କରି ଯୋଗ୍ୟଙ୍କୁ ବାଦ ଦେଖାଯାଇଛି – ଏକ ଅନ୍ୟାୟ ଓ ନିନ୍ଦନୀୟ କାର୍ଯ୍ୟ।
ଶ୍ରୀ ଦାସ ଦାବି କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ତତ୍କାଳ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବାକୁ ବାଧ୍ୟ କରିବା ଉଚିତ୍। ଏହି ଅବ୍ୟବସ୍ଥା ଚାଲିଥିଲେ ଗରିବ ଜନସାଧାରଣ ଅନ୍ୟାୟର ଶିକାର ହେଉଥିବା ସେ ସ୍ପଷ୍ଟ କରିଛନ୍ତି।
