ଅପରେସନ ମହାଦେବ: ୩ଲସ୍କର ଆତଙ୍କବାଦୀଙ୍କୁ ସଫା କଲା ଭାରତୀୟ ସେନା
ନୂଆଦିଲ୍ଲୀ : ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ୍ ତିନି ମାସ ପରେ ପହଲଗାମରେ ୨୬ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ନିପାତ କରିଛି ଭାରତୀୟ ସେନା | ସୂଚନା ଅନୁଯାୟୀ , ତିନି ପାକିସ୍ତାନୀ ଆତଙ୍କବାଦୀ ସୁଲେମାନ, ୟାସିର ଓ ହାସିମଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ସୁଲେମାନ ଓ ୟାସିର ପହଲଗାମ ଆକ୍ରମଣରେ ସାମିଲ ଥିଲେ। ବଡ କଥା ଯେ ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା। ଏହି ଏନକାଉଣ୍ଟର ଆଜି ଶ୍ରୀନଗରର ଲିଡବାସ ଅଞ୍ଚଳରେ ହୋଇଥିଲା।
ସେମାନଙ୍କ ନିକଟରୁ ଏକେ-୪୭, ୧୭ଟି ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଛି। ପହଲଗାମ ଆକ୍ରମଣରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ,ଏବେ କେବଳ ଜଣେ ବାକି ରହି ଥିବାର ସୂଚନା ମିଳିଛି |
ଆତଙ୍କବାଦୀଙ୍କ ବିରୁଦ୍ଧରେ ଚାଲିଥିବା ଅପରେସନ ମହାଦେବ ଅଧୀନରେ ଭାରତୀୟ ସେନା ଏହି ବଡ ସଫଳତା ହାସଲ କରିଛି | ଜମ୍ମୁ କଶ୍ମୀରର ଶ୍ରୀନଗରରେ ଭାରତୀୟ ସେନାର ଏକ ସର୍ଚ୍ଚ ଅପରେସନ ଜାରି କରିଥିଲା , ଯେଉଁଠାରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଆଶଙ୍କା କରାଯାଇଥିଲା । ଏହାକୁ ଲକ୍ଷ୍ୟ କରି ଅପରେସନ ମହାଦେବ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ଶ୍ରୀନଗରରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।
ସେନା ଶ୍ରୀନଗରର ମହାଦେବ ପାହାଡ଼ ନିକଟସ୍ଥ ଦାଚୀଗାମରେ ତିନି ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ନିଶ୍ଚିତ କରିଛି, କିନ୍ତୁ ସେମାନଙ୍କ ପରିଚୟ ବିଷୟରେ କିଛି ସାମ୍ନାକୁ ଆସି ନାହିଁ। ସେନା ତା’ର ବୟାନରେ କହିଛି, ‘ମୁକାବିଲାରେ ତିନି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ଏବଂ ଅପରେସନ ଜାରି ରହିଛି।’
