ୟୁରିଆ କଳାବଜାରୀକୁ ନେଇ ପ୍ରଦେଶ କଂଗ୍ରେସର ଚେତାବନୀ: ନଚେତ୍ କୃଷି କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ଳିତ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷୀମାନେ ଉତ୍ପାଦନ ବୃଦ୍ଧିର ଆଶା ରଖିଥିବା ବେଳେ, ସରକାରୀ ଅପାରଗତା ଓ ୟୁରିଆ ସଙ୍କଟ ସେମାନଙ୍କୁ ନିରାଶ କରିଛି। ପ୍ରଥମେ ଇ-କେୱାଇସି ପାଇଁ ଚାଷୀମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏବେ ରୁଆବେଉଷଣ ସମୟରେ ୟୁରିଆ ଅଭାବ ଓ କଳାବଜାରୀ ଯୋଗୁଁ ଚାଷୀମାନେ ଦୁର୍ଦ୍ଦଶାରେ ପଡ଼ିଛନ୍ତି।

ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ଏହାକୁ ସରକାରୀ ବିଫଳତାର ପରିଣାମ ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସରକାର ଦାବି କରୁଛନ୍ତି ଯେ ଓଡ଼ିଶାରେ ୭.୯୪ ଲକ୍ଷ ଟନ୍ ୟୁରିଆ ଉପଲବ୍ଧ ଅଛି, ଯେଉଁଥିରୁ ୪.୨୪ ଲକ୍ଷ ଟନ୍ ବିଭିନ୍ନ ଜିଲ୍ଲାରେ ରହିଛି। କିନ୍ତୁ ଏହା ସତ୍ତ୍ୱେ, ଚାଷୀମାନେ କାହିଁକି ସାର ପାଉନାହାନ୍ତି? ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ସୁନ୍ଦରଗଡ଼, କଟକ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ୟୁରିଆର ମୂଲ୍ୟ ୨୨୬.୫୦ ଟଙ୍କା ହେଉଥିବା ବେଳେ, ଏହା ୫୦୦ରୁ ୬୦୦ ଟଙ୍କା, ଏପରିକି ନୂଆପଡ଼ାରେ ୯୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଡି.ଏ.ପି.ର ମୂଲ୍ୟ ୧୩୫୦ ଟଙ୍କା ଥିବା ବେଳେ ଏହା ୧୭୦୦ ଟଙ୍କାରେ ବିକ୍ରି ହେଉଛି।

ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଯେ, ମାର୍କଫେଡ୍ ମାଧ୍ୟମରେ ସବସିଡି ୟୁରିଆ ବେପାରୀଙ୍କୁ ବେପରୁଆ ଭାବେ ବଣ୍ଟନ କରାଯାଉଛି, ଯାହା କଳାବଜାରୀ ମାଧ୍ୟମରେ ଦୁଇଗୁଣା ଦରରେ ବିକ୍ରି ହେଉଛି। କୃଷି ବିଭାଗର ଲାଇସେନ୍ସ ରଦ୍ଦ କଥା ମଧ୍ୟ ଏକ ପ୍ରହସନ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ପିସିସି ମୁଖପାତ୍ର ଡ଼. ମନିଷା ଦାସ ପଟ୍ଟନାୟକ କହିଛନ୍ତି, ୟୁରିଆ ଅଭାବ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ନାନୋ ୟୁରିଆର ଗ୍ରହଣୀୟତା ସ୍ଥିର ହୋଇନଥିବା ବେଳେ, କଳାବଜାରୀ ଓ ଦୁର୍ନୀତି ଯୋଗୁଁ ଖରିଫ ଚାଷ ବିପଦରେ ପଡ଼ିଛି। ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ, ୭ ବର୍ଷ ବିତିଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ।

କଂଗ୍ରେସ ତୁରନ୍ତ କଳାବଜାରୀ ରୋକିବା, ଦୋଷୀ ଡିଲର ଓ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ସମବାୟ ମାଧ୍ୟମରେ ସାର ବଣ୍ଟନ, ଆଧାର ଆଧାରିତ ପଞ୍ଚାୟତ ସ୍ତରରେ ବଣ୍ଟନ, ଜିଲ୍ଲାସ୍ତରୀୟ ବଫର ଷ୍ଟକ୍ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଅନୁକମ୍ପା ଘୋଷଣା ଦାବି କରିଛି।

ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ, ରୂପାଦୀପ୍ତା ମହାପାତ୍ର ଓ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ଏହା କେବଳ ସରକାରୀ ବିଫଳତା ନୁହେଁ, ଚାଷୀଙ୍କ ସହିତ ପ୍ରତାରଣା। ଉପ-ମୁଖ୍ୟମନ୍ତ୍ରୀ ନିଜେ କୃଷି ମନ୍ତ୍ରୀ ହୋଇଥିବା ସତ୍ତ୍ୱେ ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେବା ଦୁର୍ଭାଗ୍ୟଜନକ। ସରକାର ତୁରନ୍ତ ପଦକ୍ଷେପ ନନେଲେ, ପ୍ରଦେଶ କଂଗ୍ରେସ ଚାଷୀଙ୍କ ସହ ନିକଟସ୍ଥ କୃଷି କାର୍ଯ୍ୟାଳୟ ଘେରାଉ କରିବ।

Leave a Reply

Your email address will not be published. Required fields are marked *