ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ଗିରଫ
କଟକ: ଓଟିଇଟି (OTET) ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ମାମଲାରେ ବାରମ୍ବାର ଜେରା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ବାନ୍ଧିଛି। ଏହା ପୂର୍ବରୁ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ବୋର୍ଡର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଗୁରୁତର ଅନିୟମିତତା ରହିଛି। ନିୟମ ଅନୁସାରେ, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ଗୋପନୀୟତା ସମ୍ପାଦକଙ୍କ ଦାୟିତ୍ୱ ଥିବା ବେଳେ, ଉପସଭାପତି ଡକ୍ଟର ମହାନ୍ତିଙ୍କ ଲାପଟପକୁ ପ୍ରଶ୍ନପତ୍ରର ସଫ୍ଟ କପି ଇ-ମେଲ ମାଧ୍ୟମରେ ପଠାଯାଇଥିଲା, ଯାହା ନିୟମ ଅବମାନନା । ସାଧାରଣତଃ ପ୍ରଶ୍ନପତ୍ର ଏଫଟିପି (ଫାଇଲ ଟ୍ରାନ୍ସଫର ପ୍ରୋଟୋକଲ) ମାଧ୍ୟମରେ ନିରାପଦ ଭାବେ ପଠାଯାଇଥାଏ, କିନ୍ତୁ ଏହି ଘଟଣାରେ ଇ-ମେଲର ବ୍ୟବହାର ଆଶ୍ଚର୍ଯ୍ୟଜନକ।
ବୋର୍ଡର ନିୟମ ଅନୁଯାୟୀ, ପ୍ରଶ୍ନପତ୍ରର ସଫ୍ଟ କପି ପରୀକ୍ଷା ପୂର୍ବରୁ କୌଣସି ଅବସ୍ଥାରେ ବୋର୍ଡକୁ ପଠାଯାଇ ନଥାଏ। କେବଳ ପରୀକ୍ଷା ପରେ ସମ୍ପାଦକଙ୍କ ନିର୍ଦ୍ଦେଶରେ ସଫ୍ଟ କପି ବୋର୍ଡ ୱେବସାଇଟରେ ଅପଲୋଡ ହୋଇଥାଏ। ତେବେ, ମୁଦ୍ରଣ ସଂସ୍ଥା କେଉଁ ନିର୍ଦ୍ଦେଶରେ ଉପସଭାପତିଙ୍କ ଲାପଟପକୁ ପ୍ରଶ୍ନପତ୍ର ପଠାଇଥିଲା, ତାହା ତଦନ୍ତରୁ ସ୍ପଷ୍ଟ ହେବ।
ଏହାପୂର୍ବରୁ ୩ ବର୍ଷ ତଳେ ହୋଇଥିବା ଏକ ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ସମ୍ପାଦକଙ୍କଠାରୁ ଏହି ଦାୟିତ୍ୱ କାଢ଼ି ଉପସଭାପତିଙ୍କୁ ଦିଆଯାଇଥିଲା। ତଥାପି, ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଡିଏଲଆର କର୍ମଚାରୀ ଜିତନ ମହାରଣାଙ୍କୁ ଗୋପନୀୟ କାର୍ଯ୍ୟରେ ନିୟୋଜିତ କରିଥିଲେ, ଯାହା ଏକ ବଡ଼ ଅନିୟମିତତାର ପ୍ରମାଣ ଦେଉଛି।
ଏହି ଘଟଣା ବୋର୍ଡର ପରୀକ୍ଷା ପରିଚାଳନାରେ ଥିବା ଖାମଖିଆଲିକୁ ପ୍ରକାଶ କରିଛି। ଉଚ୍ଚ କର୍ତ୍ତୃପକ୍ଷ ଏଭଳି ଅନିୟମିତତାକୁ କିପରି ନଜର ଅନ୍ଦାଜ କରିଛନ୍ତି, ତାହା ଏବେ ଆଲୋଚନାର ବିଷୟ ହୋଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଗଭୀର ତଦନ୍ତ ଜାରି ରଖିଛି।
