ଖଣ୍ଡଗିରି ବୈକୁଣ୍ଠଧାମ ଉପରେ ଗର୍ଜିବ ବୁଲଡୋଜର, ରହିତାଦେଶ ଉଚ୍ଛେଦ କଲେ ହାଇକୋର୍ଟ

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ଉଚ୍ଛେଦ ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ହାଇକୋର୍ଟ ଉଚ୍ଛେଦ କରିଛନ୍ତି। ଗତ ବର୍ଷ ନଭେମ୍ବର ୨୧ତାରିଖରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଆଶ୍ରମର ଢାଞ୍ଚା ବିରୋଧରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ନନେବାକୁ ସାମୟିକ ଆଶ୍ୱସ୍ତି ମିଳିଥିଲା।

ଆବେଦନକାରୀଙ୍କ କହିବା ଅନୁଯାୟୀ, ବୈକୁଣ୍ଠ ଧାମ ଟ୍ରଷ୍ଟ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଯୋଗ ଶିକ୍ଷାନୁଷ୍ଠାନ ପାଇଁ ନିଆଯାଇଥିଲା । ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (ଏସ୍ ଏବଂ ଏମ୍ ଇ) ବିଭାଗ ଏହି ଜମି ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ସାଧାରଣ ପ୍ରଶାସନ (ଜିଏ) ବିଭାଗକୁ ପରାମର୍ଶ ଦେଇଥିଲା।

ତେବେ ଆଶ୍ରମର ଟ୍ରଷ୍ଟ ପକ୍ଷରୁ ଆବଶ୍ୟକ ନିର୍ମାଣ ଅନୁମତି ଦାଖଲ କରାଯାଇ ନାହିଁ। ସରକାରଙ୍କ ସ୍ଥିତି ସମୀକ୍ଷା କରିବା ପରେ ହାଇକୋର୍ଟ ପ୍ରାରମ୍ଭିକ ଆଶ୍ୱସ୍ତି ଦେଇଥିଲେ । କିନ୍ତି ଏବେ ଏହାକୁ ପ୍ରତ୍ୟାହାର କରିଛନ୍ତି। ଜିଏ ବିଭାଗର ବୋଲି ଦାବି କରି ଆବେଦନକାରୀ ଅଦାଲତରେ ଦାଖଲ କରିଥିବା ଏକ ସୁପାରିସ ପତ୍ର ନକଲି ବୋଲି ଜଣାପଡ଼ିଛି। ଆସନ୍ତା ଫେବ୍ରୁଆରି ୩ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ସୁଦ୍ଧା ସରକାରଙ୍କ ସତ୍ୟପାଠ ଉପରେ ବିସ୍ତୃତ ଜବାବ ଦେବାକୁ ହାଇକୋର୍ଟ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସରକାରୀ ଜମି ଜବରଦଖଲ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ଜିଏ ବିଭାଗ ପୂର୍ବରୁ ଯାଞ୍ଚ କରି ୧୪୦ ଡିସିମିଲ ସରକାରୀ ଜମିରେ ବୈକୁଣ୍ଠ ଧାମ ଆଶ୍ରମ ନିର୍ମାଣ ହୋଇଥିବା ଜାଣିବାକୁ ପାଇଥିଲା। ସହକାରୀ ନିର୍ଦ୍ଦେଶକ (ସର୍ଭେ ଆଣ୍ଡ ଏନଫୋର୍ସମେଣ୍ଟ) ଅମୀୟ କୁମାର ଦାସ ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ।

ଆଶ୍ରମ ଘାଟିକିଆର ପ୍ଲଟ୍ ନମ୍ବର ୯୦୩୭ ଓ ୯୦୩୮ ୦.୧୪୦ ଏକର ଅଞ୍ଚଳରେ ରହିଛି। ଯାଞ୍ଚ ପରେ ଏହା ସରକାରୀ ଜମି ବୋଲି ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *