“ସଙ୍ଗଠନ ସୃଜନ ଅଭିଯାନ” ଆରମ୍ଭ: ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚିଲେ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇଛି “ସଙ୍ଗଠନ ସୃଜନ ଅଭିଯାନ” । ଏହି ଅଭିଯାନ ଅଧୀନରେ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କଂଗ୍ରେସ ସଭାପତି ଚୟନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ଦୁଇ ପର୍ଯ୍ୟବେକ୍ଷକ, ସାଂସଦ ଶ୍ରେୟାଶ ଏମ୍ ପଟେଲ ଏବଂ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ,ଭୁବନେଶ୍ୱରରେ ଉପସ୍ଥିତ ହୋଇଛନ୍ତି।

ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସଭାପତି ଚୟନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏହି ପର୍ଯ୍ୟବେକ୍ଷକମାନେ ଦାୟିତ୍ୱ ନେଇଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ସେମାନଙ୍କୁ ଆନ୍ତରିକ ସ୍ୱାଗତ କରାଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ପର୍ଯ୍ୟବେକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଜିଲ୍ଲା ଗୁଡ଼ିକରେ ସଭାପତି ଚୟନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବିଶେଷ ଧ୍ୟାନ ଦେବେ।

ଏହାପରେ ପର୍ଯ୍ୟବେକ୍ଷକମାନେ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ଗସ୍ତ କରିବେ ଏବଂ ତୃଣମୂଳ ସ୍ତରର କଂଗ୍ରେସ କର୍ମୀ, ବରିଷ୍ଠ ନେତୃବୃନ୍ଦ ଏବଂ ଜିଲ୍ଲା ପଦାଧିକାରୀମାନଙ୍କ ସହ ଆଲୋଚନା କରିବେ। ସଭାପତି ଚୟନ ପ୍ରକ୍ରିୟାରେ ଏସଟି, ଏସସି, ଓବିସି, ମହିଳା ଓ ଯୁବ ବର୍ଗରୁ ଛଅ ଜଣଙ୍କୁ ସୁପାରିଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକ୍ରିୟା ଅନୁଯାୟୀ, ପର୍ଯ୍ୟବେକ୍ଷକମାନେ ଏକ ଗ୍ରାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିକୁ ଦାଖଲ କରିବେ, ଯାହା ଆଧାରରେ ଜିଲ୍ଲାସ୍ତରୀୟ ସଭାପତିମାନଙ୍କୁ ଚୟନ କରାଯିବ।

ପିସିସି ସଭାପତି ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହା ସହିତ, ଆଉ କିଛି ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସିବେ ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *