ଅପରେସନ ଗରୁଡ଼ରେ ପୋଲିସକୁ ମିଳିଲା ବଡ ସଫଳତା

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପରେସନ “ଗରୁଡ଼” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଅପରେସନର ଦ୍ଵିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅପରେସନ ଗରୁଡ ସମୟରେ ୪୭୧୦୫.୫୬ ଲିଟର ମଦ ସହ ୬୩ ବେଆଇନ ଅସ୍ତ୍ରଶସ୍ତ୍ର ଜବତ ହୋଇଛି | ଏହା ସହ ଏନ୍ଡିପିଏସରେ ୫୭ଟି ମାମଲା ସହିତ ୩୦୩୦.୩୫ କିଲୋଗ୍ରାମ ଗଞ୍ଜେଇ ଏବଂ ୬୬୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି | ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୭୦ଟି ଜୁଆ ମାମଲା ରୁଜୁ ହୋଇଥିବାବେଳେ ୬ ଲକ୍ଷ ୨୮ ହଜାର ୭୨୫ ଟଙ୍କା ଜବତ କରାଯାଇଛି | ସମୁଦାୟ ୪୦୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବାବେଳେ କନ୍ଧମାଳ ଜିଲ୍ଲା ପୋଲିସ ୫ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *