ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କ ପାଇଁ ବଡ଼ ଭେଟି, ‘ଆମ ବସ୍‌’ରେ ହ୍ବାଟସ୍‌ଆପ୍ ଟିକେଟ୍ ବୁକିଂ ସେବାର ଶୁଭାରମ୍ଭ

ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହରବାସୀଙ୍କୁ ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି। ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିଛନ୍ତି।

ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଯାତାୟାତ କରୁଥିବା ‘ଆମ ବସ୍‌’ରେ ଏଣିକି ଏବେ ହ୍ବାଟସ୍‌ଆପ୍ ମାଧ୍ୟମରେ ଟିକେଟ୍ ବୁକିଂ କରିହେବ। ଲୋକମାନେ ହ୍ବାଟସ୍‌ଆପ୍‌କୁ ଅଧିକ ବ୍ୟବହାର କରୁଥିବାରୁ, କ୍ରୁଟ୍ ପକ୍ଷରୁ ‘ଆମ ବସ୍‌’ ପାଇଁ ଏହି ହ୍ବାଟସ୍‌ଆପ୍ ଆଧାରିତ ଟିକେଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଏହାସହିତ, ଡିଜିଟାଲ୍ ଟିକେଟ୍ କ୍ରୟ କରୁଥିବା ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟରେ ରିହାତି ମିଳିବା ନେଇ ଘୋଷଣା ହୋଇପାରେ। ଭୁବନେଶ୍ବର-କଟକ-ପୁରୀରେ ‘ଆମ ବସ୍‌’ରେ ଯାତ୍ରା କରୁଥିବା ଲୋକଙ୍କୁ ଏବେ ଡିଜିଟାଲ୍‌ ପାସ୍‌ ମିଳୁଛି। ଏହି ବ୍ୟବସ୍ଥାକୁ ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବା ନେଇ ଘୋଷଣା କରାଯାଇଛି। ସେହିପରି ଆଜି ଜାତୀୟ ଏକକ ଗମନାଗମନ କାର୍ଡର ଲୋକାର୍ପଣ, ସାରା ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ‘ସହଯୋଗ’ ଅଭିଯାନର ଶୁଭାରମ୍ଭ, ସମାବେଶୀ ସହର ଗଠନ ପାଇଁ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ ସହ ବୁଝାମଣା, ସହର ସାଥୀ କଲ୍‌ ସେଣ୍ଟର ଓ ପୌରସଂସ୍ଥା କର୍ମଚାରୀଙ୍କ ପାଇଁ ସିୟୁଜି ନମ୍ବର ବଣ୍ଟନ କରାଯାଇଛି।

ପୌରସଂସ୍ଥା କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ମୋବାଇଲ୍‌ ନମ୍ବର ଦିଆଯିବ, ଯେପରି କମିଶନରେଟ୍‌ ପୁଲିସର ବିଭିନ୍ନ ଥାନାଧିକାରୀମାନଙ୍କୁ ଏକକ ନମ୍ବର ଦିଆଯାଉଛି। ସେମାନେ ବଦଳିଲେ ବି ନମ୍ବର ସମାନ ରହିବ। ଏହାଦ୍ବାରା ସହରବାସୀ କୌଣସି ସେବା ପାଇଁ ସିଧାସଳଖ ଭାବରେ ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ।

ସ୍ବାୟତ୍ତଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଜଳସାଥୀ, ସ୍ବଚ୍ଛସାଥୀ, ପରିମଳ କର୍ମଚାରୀ ଓ ଶ୍ରେଷ୍ଠ ପୌରସଂସ୍ଥାକୁ ପୁରସ୍କୃତ କରିଛନ୍ତି।

ଏହାସହ, ସୁଲଭ ଆବାସ ବଣ୍ଟନ ଓ ପିଏମ୍‌ ଆବାସରେ ଗୃହ ପ୍ରବେଶ କରାଯାଇଛି। ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ର ଲୋଗୋ ଉନ୍ମୋଚନ, ୪୩ ବହୁମୁଖୀ ଭବନର ଲୋକାର୍ପଣ, ଅମୃତ ଏବଂ ସୁଜଳ ଅଧୀନରେ ଜଳଯୋଗାଣ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ ଓ ଭୁବନେଶ୍ବର ମହାନଗର ନଗମର ହ୍ବାଟସ୍‌ଆପ୍ ବଟ୍‌ ସେବାର ଶୁଭାରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *