ରାତି ହେଲେ ଥରୁଛି ଓଡ଼ିଶା, ୬ ଡିଗ୍ରି ତଳକୁ ଖସିଲା ତାପମାତ୍ରା

ଭୁବନେଶ୍ୱର: ଶୀତ ଲହରୀ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୬ ଡିଗ୍ରି ତଳକୁ ଖସି ଆସିଛି। ଏହାବ୍ୟତୀତ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ପାରଦ ୧୨ ଡିଗ୍ରି ତଳକୁ ଖସିଆସିଛି।
ବୁଧବାର ଓ ଗୁରୁବାର ମଧ୍ୟରାତ୍ରିରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୬.୪, କେନ୍ଦୁଝରରେ ୮.୮, ହୀରାକୁଦରେ ୧୧.୨ ଓ ସମ୍ବଲପୁରରେ ୧୧.୬ ଡିଗ୍ରି ରେକର୍ଡ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଭଳି ସ୍ଥାନରେ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବା ସହ ଅଧିକ ତୀବ୍ର ହୋଇଛି।
ଜାନୁଆରୀ ୭ ତାରିଖ ସକାଳ ସାଢ଼େ ୫ଟା ସୁଦ୍ଧା ସହରର ସର୍ବୋଚ୍ଚ ତାପମାତ୍ରା ୧୩.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଶୀତ ଲହରୀ ପ୍ରଭାବରେ ଆଜି ତାପମାତ୍ରା ୮ ଡିଗ୍ରିକୁ ଖସି ଆସିଛି।
ତେବେ ଓଡ଼ିଶାର ଦୁଇ ସହରରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଗତକାଲି ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରୀ ସେଲସିୟସ ଓ କଟକରେ ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜାନୁଆରୀ ୪ ରେ ରାଜଧାନୀର ତାପମାତ୍ରା ୧୨.୭ ଡିଗ୍ରୀ ସେଲସିୟସ ଏବଂ ସିଲଭର ସିଟିର ତାପମାତ୍ରା ୧୨.୪ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା, ଯାହା କି ଏ ପର୍ଯ୍ୟନ୍ତ ଋତୁର ସର୍ବନିମ୍ନ ତାପମାତ୍ରା ଥିଲା ।
ତେବେ ଗତକାଲି ପୁରୀ ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୬.୬ ଡିଗ୍ରି ଓ ଗୋପାଳପୁରରେ ୧୫.୪ ଡିଗ୍ରି ରେକର୍ଡ କରାଯାଇଛି। ଏହି ସବୁ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି।
ସେପଟେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।