ବରଗଡ଼ ପାଲଟିଲା ‘ମଥୁରା’, ଉଦଘାଟିତ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମହୋତ୍ସବକୁ ଉଦଘାଟନ କରିଛନ୍ତି। ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଗଣିତ ଏହି ବାର୍ଷିକ ଉତ୍ସବ ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ବରଗଡ଼ ମୁନିସିପାଲିଟି ଓ ଏହାର ଆଖପାଖ ଅଞ୍ଚଳରେ ୮ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ପର୍ବ ପାଳିତ ହୋଇଥାଏ। ‘ମଥୁରା ବିଜୟ’ ବିଷୟବସ୍ତୁ ଉପରେ ଏହା ପ୍ରଣୟନ କରାଯାଇଛି, ଯେଉଁଥିରେ ଭଗବାନ କୃଷ୍ଣଙ୍କ ତାଙ୍କ ମାମୁଁ ତଥା ରାକ୍ଷସ ରାଜା କଂସଙ୍କ ବିରୁଦ୍ଧରେ ବିଜୟକୁ ଦର୍ଶାଯାଇଛି ।
ଏହି ନାଟକ ପରିବେଷଣ ପାଇଁ ସମଗ୍ର ବରଗଡ଼ ସହର ମଥୁରା ରୂପରେ ସଜ୍ଜିତ ହୋଇଥିବା ବେଳେ ନିକଟସ୍ଥ ଆମ୍ବପାଲି ଗାଁ ପୌରାଣିକ ଗୋପପୁରାରେ ପରିଣତ ହୋଇଛି।
ଧନୁଯାତ୍ରା ସମୟରେ ବରଗଡ଼ ନିକଟରେ ଅବସ୍ଥିତ ଜିରା ନଦୀକୁ ଯମୁନା ବୋଲି ବିବେଚନା କରାଯାଏ। ଏହି ପର୍ବରେ ବରଗଡ଼ର ପ୍ରତ୍ୟେକ ବାସିନ୍ଦା ନିଜକୁ ରାକ୍ଷସ ରାଜା କଂସଙ୍କ ପ୍ରଜା ବୋଲି ବିବେଚନା କରିଥାନ୍ତି। ୧୧ ଦିନ ଧରି ଚାଲିବାକୁ ଥିବା ଏହି ପର୍ବରେ ଭଗବାନ ଶ୍ରୀକୃଷ୍ଣ ଓ ଭଗବାନ ବଳରାମଙ୍କ ପିଲାଦିନ ସହ ଜଡ଼ିତ ଅନେକ କାହାଣୀ ରଚନା କରାଯାଇଛି।
ବରଗଡ଼ବାସୀ ୧୯୪୭ ମସିହାରୁ ଏହି ମହୋତ୍ସବ ଆୟୋଜନ କରି ଆସୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୧୯୪୭ ମସିହାରେ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଳନ ପାଇଁ ପ୍ରଥମେ ବରଗଡ଼ରେ ଧନୁଯାତ୍ରା ଆୟୋଜନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବରଗଡ଼ ଧନୁଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ଅନୁଦାନକୁ ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରି ମହୋତ୍ସବକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହାବ୍ୟତୀତ ଧନୁଯାତ୍ରାର ପ୍ରଚାର ଓ ସିଧା ପ୍ରସାରଣ ପାଇଁ ରାଜ୍ୟ ସରକାର ଅତିରିକ୍ତ ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି।
ମହୋତ୍ସବ ସହ ଜଡ଼ିତ ୧୭୦ ଜଣ ବିଶିଷ୍ଟ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ରାଜଧାନୀ ସମେତ ପ୍ରମୁଖ ସହରର ଏଲ୍ଇଡି ସ୍କ୍ରିନରେ ଏହି ମେଗା ଇଭେଣ୍ଟର ସିଧା ପ୍ରସାରଣ କରାଯିବ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନ୍ ଏସ୍ ଡି) ଏହି ମହୋତ୍ସବ ଉପରେ ଏକ ବିସ୍ତୃତ ଡକ୍ୟୁମେଣ୍ଟାରୀ ନିର୍ମାଣ କରିବ। ବରଗଡ଼ ଧନୁଯାତ୍ରାକୁ ୟୁନେସ୍କୋର ‘ଅମୂର୍ତ୍ତିକ ସାଂସ୍କୃତିକ ଐତିହ୍ୟ’ର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଯୋଜନା କରିଛନ୍ତି।