ଦେଶରେ ଓଡିଶା ନାମରେ ଅଲୋଡ଼ା ରେକର୍ଡ: ଅନ୍ଧାରରେ ରହୁଛନ୍ତି ଓଡିଶାବାସୀ

ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ୍ ବ୍ୟାହତ ସମସ୍ୟା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ। ରାଜ୍ୟର ଉପଭୋକ୍ତାମାନେ ମାସିକ ହାରାହାରି ୨୩ ଘଣ୍ଟା ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଛନ୍ତି, ଅର୍ଥାତ୍ ପ୍ରାୟ ଗୋଟିଏ ଦିନ ଅନ୍ଧାରରେ ରହୁଛନ୍ତି। ଜାତୀୟ ସ୍ତରରେ ମାସିକ ହାରାହାରି ୧୧ ଘଣ୍ଟା ବିଦ୍ୟୁତ୍ ବ୍ୟାହତ ହେଉଥିବା ବେଳେ, ଓଡ଼ିଶାରେ ଏହା ଦୁଇ ଗୁଣରୁ ଅଧିକ। ଦେଶରେ ମାସକୁ ହାରାହାରି ୧୭ ଥର ବିଦ୍ୟୁତ୍ କାଟ ହେଉଥିବା ବେଳେ, ଓଡ଼ିଶାରେ ଏହା ୩୪ ଥର। କେନ୍ଦ୍ରୀୟ ଶକ୍ତି ମନ୍ତ୍ରଣାଳୟଙ୍କ ୧୨ତମ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।

ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଅଧିନିୟମ ୨୦୦୪ ଅନୁସାରେ, ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ପ୍ରାୟ ୩୦୦ ବିଦ୍ୟୁତ୍ ସବ୍-ଡିଭିଜନ୍‌ରୁ ମାସିକ ଓ ବାର୍ଷିକ ବିଦ୍ୟୁତ୍ ବ୍ୟାହତ ତଥ୍ୟ ସଂଗ୍ରହ କରାଯାଉଛି। ଚାରିଟି ବିଦ୍ୟୁତ୍ ବିତରଣ କମ୍ପାନି ଏହି ତଥ୍ୟ ଓଇଆରସିକୁ ପ୍ରଦାନ କରୁଛନ୍ତି।

୨୦୧୫ରେ, ରିଲାଏନ୍ସ ଓହରି ଯିବା ପରେ, ଉପଭୋକ୍ତାମାନେ ମାସିକ ହାରାହାରି ୧୩ ଥର ବିଦ୍ୟୁତ୍ ବ୍ୟାହତ ହେବା ଯୋଗୁଁ ୫ ଘଣ୍ଟା ଅନ୍ଧାରରେ ରହୁଥିଲେ। ୨୦୨୦-୨୧ରେ ଟାଟା ପାୱାରକୁ ବିଦ୍ୟୁତ୍ ବିତରଣ ଦାୟିତ୍ୱ ହସ୍ତାନ୍ତର ପରେ, ଏହା ବୃଦ୍ଧି ପାଇ ୩୭ ଥର ଓ ୧୪ ଘଣ୍ଟା ହେଲା। ୨୦୨୩-୨୪ ତଥ୍ୟ ଅନୁଯାୟୀ, ମାସକୁ ୩୪ ଥର ବିଦ୍ୟୁତ୍ ବ୍ୟାହତ ହେବା ଯୋଗୁଁ ୨୩ ଘଣ୍ଟା ଅନ୍ଧାର ହେଉଛି।

ଟାଟା ପାୱାରର ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି, ଭିତ୍ତିଭୂମି ବିକାଶ ଓ ଉପଭୋକ୍ତା ସଂଖ୍ୟା ବୃଦ୍ଧି ଯୋଗୁଁ ପରିଚାଳନା ଓ ମରାମତି କାମ ପାଇଁ ବିଦ୍ୟୁତ୍ ବ୍ୟାହତ ହେଉଛି। ସେ ଆଗାମୀ ଦିନରେ ଏଥିରେ ସୁଧାର ଆସିବ ବୋଲି ଦାବି କରିଛନ୍ତି।

ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ୨୦୦୪ରେ ଓଇଆରସି ଅଧିନିୟମ ଜାରି ହେବା ସତ୍ତ୍ୱେ, ଏହାର ନବୀକରଣ ହୋଇନାହିଁ। ବିଦ୍ୟୁତ୍ ବ୍ୟାହତ ପାଇଁ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଥାଇ ବି, ଆୟୋଗ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ୨୦୧୯ରେ ଓଇଆରସି ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁସାରେ, ମାସକୁ ସର୍ବାଧିକ ୧୫ ଥର ଓ ୧୦ ଘଣ୍ଟା ବିଦ୍ୟୁତ୍ ବ୍ୟାହତ ହେବା ଗ୍ରହଣୀୟ। କିନ୍ତୁ, ଏହି ମାନଦଣ୍ଡକୁ ନିମ୍ନଗାମୀ ସଂଶୋଧନ କରିବାର ବ୍ୟବସ୍ଥା ଥାଇ ବି, ଆୟୋଗ ଏପର୍ଯ୍ୟନ୍ତ ସେଥିରେ ସଫଳ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *