ଓଡ଼ିଶା ହାଇକୋର୍ଟର ଆଦେଶ: ଲାଇଭଷ୍ଟକ୍ ଇନ୍ସପେକ୍ଟର ଆଦି ପଦରେ ନିଯୁକ୍ତି ସ୍ଥଗିତ, ସିପାହିଙ୍କୁ ବଡ଼ ରିଲିଫ୍

କଟକ: ଓଡ଼ିଶା ହାଇକୋର୍ଟ ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ପଦବୀର ନିଯୁକ୍ତି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା କେତେକ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ପାଇଁ ଡକାଯାଇ ନଥିବାରୁ ଦାୟର ହୋଇଥିବା ମାମଲାର ଶୁଣାଣିରେ କୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି । ଆବେଦନକାରୀମାନଙ୍କୁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ, କିନ୍ତୁ ପୂର୍ବରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଜବାବ ସେମାନେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ କମିସନ (ଓଏସ୍‌ଏସ୍‌ଏସ୍‌ସି) ନିକଟରେ ଦାଖଲ କରିବାକୁ ପଡ଼ିବ । କମିସନ୍ ଏହି ଜବାବକୁ ବିଚାରକୁ ନେଇ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ୩୩୭ଟି ପଦବୀ ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଜଷ୍ଟିସ୍ ବିରଜା ପ୍ରସନ୍ନ ସତପଥୀଙ୍କ ଏକକ ବେଞ୍ଚରେ ହୋଇଛି ।

ଅନ୍ୟପକ୍ଷରେ, ସିପାହି ଏବଂ କନଷ୍ଟେବଳ ପଦବୀର ନିଯୁକ୍ତି ଆଶାୟୀମାନଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ବୟସ ସୀମା କୋହଳ ପରେ ଚୂଡ଼ାନ୍ତ ଚୟନ ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀ ସେମାନଙ୍କ ନିଯୁକ୍ତି ପ୍ରଭାବିତ ହେବା ଆଶଙ୍କାରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ବୟସ ସୀମା କୋହଳ ପରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ପୂର୍ବ ତାଲିକାର ପ୍ରାର୍ଥୀମାନେ ପ୍ରଭାବିତ ହେବେ ନାହିଁ । ଏହି ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ ଏହି ସଂପର୍କିତ ମାମଲାଗୁଡ଼ିକର ଶୁଣାଣିରେ ପୂର୍ଣ୍ଣଛେଦ ପକାଇଛନ୍ତି । ଏହା ଦ୍ୱାରା ପୂର୍ବ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ନିଯୁକ୍ତି ସୁରକ୍ଷିତ ରହିବ ବୋଲି ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *