ବିଏସକେଓ୍ୱାଇ ଦୁର୍ନୀତି ଅଭିଯୋଗର ତଦନ୍ତ ହେବ କହିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ), ଓଡ଼ିଶାର ସ୍ୱାସ୍ଥ୍ୟ ବୀମା ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।
ବୈଧ ସ୍ୱାସ୍ଥ୍ୟକାର୍ଡ ଥିବା ହିତାଧିକାରୀଙ୍କ ଅଭିଯୋଗ ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରଖାନାଗୁଡ଼ିକ ମନମୁଖୀ ବିଲ୍ ଜାରି କରୁଥିବା ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ତଦନ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆର୍ଥିକ ଅନଗ୍ରସରଙ୍କ ସ୍ୱାସ୍ଥ୍ୟ ସେବା କରିବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନାର ଆରମ୍ଭ ହୋଇଥିଲା । କିନ୍ତୁ ଯେଉଁଭଳି ଭାବେ ଏହାର ରୂପାୟନ ହୋଇଛି ତାହା ଚିନ୍ତା ବଢ଼ାଇଛି।
ଏହି ଅଭିଯୋଗର ତ୍ୱରିତ ତଦନ୍ତ ଏବଂ ଯୋଜନା ପରିଚାଳନାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବାକୁ ଏବେର ବିଜେପି ସରକାର ଚେଷ୍ଟା କରୁଥିବା କୁହାଯାଉଛି।
ଓଡ଼ିଶାରେ ତାଲିକାଭୁକ୍ତ ଡାକ୍ତରଖାନା ସଂଖ୍ୟା ବହୁଗୁଣିତ ବୃଦ୍ଧି ପାଇଛି। ଆୟୁଷ୍ମାନ ଭାରତ ଯୋଜନା ସମ୍ପୂର୍ଣ୍ଣ ଏକ ବୀମା ଯୋଜନା । ପୂର୍ବ ବିଏସକେୱାଇ ଯୋଜନାରେ କାର୍ଡ ଥିବା ସତ୍ତ୍ୱେ ହିତାଧିକାରୀଙ୍କୁ ବିଭିନ୍ନ ହସ୍ପିଟାଲ ଅଣଦେଖା କରୁଥିଲେ। “
ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଶୋଷଣ କରାଯାଉଛି ଏବଂ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଅତ୍ୟଧିକ ବିଲ୍ ଆଦାୟ କରୁଛନ୍ତି। ଏହାବ୍ୟତୀତ ପୂର୍ବ ସରକାରଙ୍କ କିଛି ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ବୋଲି ଆଇନମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଆଇନମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ବିଏସକେୱାଇ ଦୁର୍ନୀତି ଅଭିଯୋଗର ଆମେ ଖୁବ୍ ଶୀଘ୍ର ବିସ୍ତୃତ ତଦନ୍ତ ଆରମ୍ଭ କରିବୁ। “
ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଭାରତ ଯୋଜନା ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରିବ ଏବଂ ଦେଶର ସମସ୍ତ ତାଲିକାଭୁକ୍ତ ଡାକ୍ତରଖାନାରେ ରୋଗୀମାନେ ବୀମା ସୁବିଧା ପାଇବେ । ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ)ର କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।