୩ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଭାରତୀୟ ପୁଲିସ ସେବା (ଆଇପିଏସ୍)ର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ୧୯୯୩ ବ୍ୟାଚର ବିନୟତୋଷ ମିଶ୍ର ଓ ଆରପି କୋଚେ ଏବଂ ଡିଜିପିର ଲେବଲ-୧୬କୁ ପଦୋନ୍ନତି ପାଇଛନ୍ତି।
ଏହାବ୍ୟତୀତ କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ମଧ୍ୟ ଡିଜିପି ପଦରେ ପଦୋନ୍ନତି ମିଳିଛି। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଏବଂ ଆରପି କୋଚେ ଉଭୟ ୧୯୯୩ ବ୍ୟାଚର ହୋଇଥିବା ବେଳେ ସେମାନଙ୍କୁ ଡିଜିପିଙ୍କ ସ୍ତର-୧୬କୁ ପଦୋନ୍ନତି ଦିଆଯାଇଛି। “
ବିଜ୍ଞପ୍ତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ (୧୯୯୩ ବ୍ୟାଚ୍)ଙ୍କୁ ଆଇପିଏସରେ ଡିଜିପିଙ୍କ ଲେବଲ୍-୧୬କୁ ପଦୋନ୍ନତି ଦିଆଯାଇଛି। “
ଏହା ପୂର୍ବରୁ ଓଡ଼ିଶା ସରକାର ଅନ୍ୟ ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେବାକୁ ଘୋଷଣା କରିଥିଲେ। ବରିଷ୍ଠ ଆଇପିଏସ୍ ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି) ଭାବେ ପଦୋନ୍ନତି ଦିଆଯାଇଛି।
ସେହିପରି ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ ଓ ନୀତି ଶେଖରଙ୍କୁ ପୁଲିସ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ଅନ୍ୟ ତିନି ଜଣ ବରିଷ୍ଠ ଅଧିକାରୀ ପିନାକ ମିଶ୍ର, ବନୋଥ ଯୁଗଳ କିଶୋର କୁମାର ଓ ବଟୁଲା ଗଙ୍ଗାଧରଙ୍କୁ ପୁଲିସ ସବ୍ ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପାହ୍ୟାକୁ ପଦୋନ୍ନତି ମିଳିଛି। ଏହି ସମସ୍ତ ପଦୋନ୍ନତି ଓଡ଼ିଶା ପୁଲିସ ବିଭାଗର ନେତୃତ୍ୱକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।