ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗରିବ ଓ ଜନହିତକର ବଜେଟ୍ ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଉପସ୍ଥାପିତ ହେବାକୁ ଥିବା ବଜେଟରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ସୀମାନ୍ତରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବ।

ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ବୈଠକରେ ପ୍ରମୁଖ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ସମାଜର ପ୍ରତ୍ୟେକ ବର୍ଗ ଓ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଏକ ବଜେଟ୍ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, କୃଷକ, ଶ୍ରମିକ ଓ ମହିଳାଙ୍କୁ ସମର୍ଥନ କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ।

ଆମର ଲକ୍ଷ୍ୟ ହେଉଛି ‘ବିକ୍ଷିତ ଗାଁ ଓ ବିକ୍ଷିତ ଓଡ଼ିଶା’ ଅଭିଯାନ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିର ବିକାଶ କରିବା ଏବଂ ଗ୍ରାମାଞ୍ଚଳରେ ଆୟର ଉତ୍ସ ଉପଲବ୍ଧ କରାଇବା ଯେପରି ଲୋକଙ୍କୁ ସହରାଞ୍ଚଳକୁ ଯିବାକୁ ପଡ଼ିବ ନାହିଁ।

ଏକ ସମନ୍ୱିତ ଓ ପ୍ରଗତିଶୀଳ ବଜେଟ୍ ପ୍ରସ୍ତୁତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି। ଆର୍ଥିକ ଦାୟିତ୍ୱ ଏବଂ ରାଜସ୍ୱ ଉତ୍ପାଦନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଶିଳ୍ପ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ସେମିକଣ୍ଡକ୍ଟର କ୍ଷେତ୍ର ସମେତ ଇସ୍ପାତ, ଆଇଟି ଶିଳ୍ପ, ଖଣି, ଅକ୍ଷୟ ଶକ୍ତି, ପେଟ୍ରୋକେମିକାଲ୍ସ, କୃଷି ଶିଳ୍ପ, ବନ୍ଦର ଭିତ୍ତିକ ଶିଳ୍ପ ଭଳି କ୍ଷେତ୍ରକୁ ପ୍ରାଥମିକତା ଦେଉଛୁ। ବଜେଟ୍ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିବା ପାଇଁ ଆମେ ଇମେଲ୍ ଏବଂ ହ୍ୱାଟସଆପ୍ ମାଧ୍ୟମରେ ନାଗରିକମାନଙ୍କଠାରୁ ମତାମତ ସଂଗ୍ରହ କରୁଛୁ। ଏହି ପ୍ରକ୍ରିୟା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ନିଯୁକ୍ତି ସୃଷ୍ଟିକ୍ଷେତ୍ରରେ ରାଜ୍ୟର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରି ୧.୫୦ ଲକ୍ଷ ନିଯୁକ୍ତି ଦେବାକୁ ଆମର ପ୍ରତିଶ୍ରୁତି । ଏହାରି ଭିତରେ ଆମେ ୨୦ ହଜାର ସରକାରୀ କ୍ଷେତ୍ରରେ ଚାକିରି ପ୍ରଦାନ କରିସାରିଛୁ ଏବଂ ଆଗାମୀ ଦିନରେ ଆହୁରି ୨୦ ହଜାର ନିଯୁକ୍ତି ଦେବୁ। ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ ସରକାରୀ କ୍ଷେତ୍ରରେ ଖାଲି ପଡ଼ିଥିବା ୬୫ ହଜାର ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ୪୦ ହଜାର ଚାକିରି ପୂରଣ ହେବ।

ସେ ଉଲ୍ଲେଖ କରିଛନ୍ତି ଯେ ସରକାର ବର୍ତ୍ତମାନ ସୁଦ୍ଧା ଶିଳ୍ପ କ୍ଷେତ୍ରରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ କରିଛନ୍ତି, ଯାହା ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୃଷ୍ଟି କରିବ ।

ଅର୍ଥନୀତିଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଥିଙ୍କ ଟ୍ୟାଙ୍କରଙ୍କ ସହ ବିଭିନ୍ନ କ୍ଷେତ୍ର ଓ ଶିଳ୍ପର ପ୍ରତିନିଧିମାନେ ଶୁକ୍ରବାର ପ୍ରାକ୍ ବଜେଟ୍ ବୈଠକରେ ଯୋଗଦେଇ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେବ୍ରୁଆରି ୧୭ ତାରିଖରେ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *