ସାରା ଓଡିଶା ବନ୍ଦ: ସବୁଠାରେ ପଡିଲା ପ୍ରଭାବ

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇଛି।

କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍‌ସିପି, ଏସ୍‌ପି ଓ ଆର୍‌ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗୁରୁବାର ଶିକ୍ଷାନୁଷ୍ଠାନ, ପେଟ୍ରୋଲ୍‌ ପମ୍ପ ଓ ଦୋକାନ ବଜାର ବନ୍ଦ ରହିଛି । ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍‌ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।

Leave a Reply

Your email address will not be published. Required fields are marked *