ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଓଡ଼ିଆ ମାଓବାଦୀଙ୍କ ସମେତ ୧୬ ମୃତ

ଭୁବନେଶ୍ୱର: ଛତିଶଗଡ଼ରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ନିହତ ହୋଇଥିବା ୧୬ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କୁଳଶ୍ରୀର ଆଲୋକ ଓରଫ ମୁନ୍ନା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁନ୍ନାଙ୍କ ମୁଣ୍ଡରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ଏହାବ୍ୟତୀତ ଏହି ଏନକାଉଣ୍ଟରରେ ନିଷିଦ୍ଧ ସଂଗଠନର ଓଡ଼ିଶା ରାଜ୍ୟ କମିଟିର ଦୁଇ ଜଣ ସଦସ୍ୟ ନିହତ ହୋଇଛନ୍ତି। ସେମାନେ ହେଲେ ସତ୍ୟମ୍ ଗାୱଡେ ଓ ଜୟରାମ ଓରଫ ଗୁଡ୍ଡୁ। ଉଭୟଙ୍କ ମୁଣ୍ଡରେ ୬୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା।
ସୂଚନାଯୋଗ୍ୟ, ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୧୬ ଜଣ ମାଓବାଦୀ ନିପାତ ହୋଇଥିଲେ।
ଛତିଶଗଡ ପୋଲିସ, ସିଆରପିଏଫ ଏବଂ ଓଡିଶା ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ (ଏସଓଜି) ମିଳିତ ଭାବେ ଏହି ଅପରେସନ କରି ଘଟଣାସ୍ଥଳରୁ ଏକେ-୪୭, ଏସଏଲଆର, ଇନସାସ ରାଇଫଲ ଏବଂ ଅନ୍ୟାନ୍ୟ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ।