ସମ୍ବଲପୁରରେ ନୂଆଁଖାଇ ଭେଟଘାଟ: ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସିବ ପଶ୍ଚିମ ଓଡ଼ିଶା
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମ୍ବଲପୁରରେ ଆୟୋଜିତ ହେଉଛି ଏକ ଭବ୍ୟ ଭେଟଘାଟ କାର୍ୟ୍ୟକ୍ରମ। ଏହି ଅବସରରେ ରାଜନୀତିର ସମସ୍ତ ସୀମା ଅତିକ୍ରମ କରି ଗୋଟିଏ ମଞ୍ଚରେ ଏକାଠି ହେବେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ ଦଳର ନେତାମାନେ। ଏହି କାର୍ୟ୍ୟକ୍ରମରେ ପୂରା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।
ପ୍ରଶାସନିକ ସ୍ତରରେ ଏହି କାର୍ୟ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଭେଟଘାଟରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ। ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଥିମ୍ ଡ୍ୟାନ୍ସ ଏହି କାର୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ।
ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ। ଏହାପରେ ସନ୍ଧ୍ୟା ୫ଟା ବେଳେ ସେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ସମଲେଇ ମନ୍ଦିର ଯିବେ। ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଦର୍ଶନ ଶେଷ କରି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଭେଟଘାଟ କାର୍ୟ୍ୟକ୍ରମରେ ଯୋଗ ଦେବେ ଏବଂ ସାଢ଼େ ୭ଟା ବେଳେ ଭୁବନେଶ୍ୱର ଫେରିବେ।
ଏହି କାର୍ୟ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାରାୟଣ ନାୟକ, ମୁକେଶ ମହାଲିଙ୍ଗ ପ୍ରମୁଖ ନେତାଙ୍କ ସହ ସମସ୍ତ ବିଧାୟକଙ୍କ ଉପସ୍ଥିତି ରହିବ। ରାଜନୀତିରୁ ଉର୍ଦ୍ଧ୍ୱରେ ଥାଇ ଏକ ମଞ୍ଚରେ ସମସ୍ତେ ଏକାଠି ହେବା ଏକ ରୋଚକ ରାଜନୈତିକ ଦୃଶ୍ୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
