ନୂଆଁଖାଇ ଭେଟି: ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ଦେବେ ଖୁସିର ଉପହାର। ଆଜି ରାଜ୍ୟର ପ୍ରାୟ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି ସିଏମ୍ କିଷାନ ଯୋଜନାରେ ୨ ହଜାର ଟଙ୍କା। ରବି ଫସଲ ୨୦୨୫-୨୬ ପାଇଁ ଏହି ଆର୍ଥିକ ସହାୟତା ଆଜି ଚାଷୀଙ୍କ ଖାତାକୁ ସ୍ଥାନାନ୍ତର ହୋଇଛି, ଯାହା ନୂଆଁଖାଇ ପୂର୍ବରୁ ଚାଷୀଙ୍କ ପାଇଁ ଏକ ବଡ଼ ଉପହାର।
ଗତ ବର୍ଷ ନୂଆଁଖାଇ ଅବସରରେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯାଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ବିଜେଡି ସରକାରଙ୍କ ଅମଳରେ ଚାଷୀମାନେ କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଇଥିଲେ। କୃଷି ମନ୍ତ୍ରୀ କେଭି ସିଂହଦେଓ ବିଧାନସଭାରେ ଘୋଷଣା କରିଥିଲେ ଯେ, ଯୋଗ୍ୟତା ଥାଇ ମଧ୍ୟ ପିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିଥିବା ରାଜ୍ୟର ସମସ୍ତ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାରେ ସାମିଲ କରାଯିବ।
ଆସନ୍ତାକାଲି ନୂଆଁଖାଇ ପାଳନ ପାଇଁ ସମ୍ବଲପୁରର ବଜାର ଆଜି ବେଶ ଚଳଚଞ୍ଚଳ। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବକୁ ନେଇ ଲୋକେ ନୂଆ ଧାନ, ପନିପରିବା ଓ ପୂଜା ସାମଗ୍ରୀ କିଣିବାରେ ବ୍ୟସ୍ତ। ନୂଆଁଖାଇ ବଜାରରେ ବର୍ଷର ଅନ୍ୟ ଦିନରେ ମିଳୁନଥିବା ବିଶେଷ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି। ଏହି ପର୍ବ ପାଇଁ ସମ୍ବଲପୁରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି।
